ନୂଆ ସଂସଦ ଭବନରେ ସ୍ଥାନ ପାଇବ ରାଜଦଣ୍ଡ ବା ସେନଗୋଲ୍ । ଚୋଳ ସାମ୍ରାଜ୍ୟରୁ ଲମ୍ବିଛି ଏହାର ଇତିହାସ । ଶାସନ ଓ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ହୋଇଥାଏ ବିବେଚନା

171

କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନ ଅବସରରେ ସ୍ଥାପନ ହେବ କ୍ଷମତା ହସ୍ତାନ୍ତରଣର ପ୍ରତୀକ ‘ସେନଗୋଲ’ ବା ରାଜଦଣ୍ଡ । ସେନଗୋଲ ଚୋଳ ସାମ୍ରାଜ୍ୟର ପରମ୍ପରା । ସେତେବେଳେ ଯିଏ ରାଜା ହେଉଥିଲେ, ତାଙ୍କୁ ରାଜଦଣ୍ଡ ଦିଆଯାଉଥିଲା । ସେନଗୋଲ ବର୍ତ୍ତମାନ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ରଖାଯାଇଛି । ଏବେ ଏହାକୁ ଦେଶ ସମ୍ମାନରେ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ରଖିବା ଲାଗି ନିଷ୍ପତି ହୋଇଥିବା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ରାଜଦଣ୍ଡ ଶାସନର ପ୍ରତୀକ । କ୍ଷମତା ହସ୍ତାନ୍ତର’ର ପ୍ରତୀକ । ଏହା ପଛରେ ଲୁଚି ରହିଛି ଏକ ଗୌରବମୟ ଇତିହାସର କାହାଣୀ । ଚୋଳ ସାମ୍ରାଜ୍ୟ ହେଉଛି ଦକ୍ଷିଣ ଭାରତରେ ଶହ ଶହ ବର୍ଷ ଧରି ଶାସନ କରିଥିବା ଅନ୍ୟତମ ପୁରାତନ ରାଜବଂଶ । ଜଣେ ରାଜାଙ୍କଠାରୁ ଆଉ ଜଣେ ରାଜାଙ୍କ ପାଖକୁ କ୍ଷମତା ହସ୍ତାନ୍ତର’ର ସୂଚକ ଭାବେ ବ୍ୟବହାର ହେଉଥିଲା ଏହି ରାଜଦଣ୍ଡ ଦଣ୍ଡ ବା’ ସେନଗୋଲ୍ । ସ୍ୱାଧୀନ ଭାରତର ସ୍ୱର୍ଣ୍ଣିମ ଯାତ୍ରା ମଧ୍ୟ ଏହି ରାଜଦଣ୍ଡ ହସ୍ତାନ୍ତରରୁ ଆରମ୍ଭ ହୋଇଥିଲା । ୧୯୪୭ ଅଗଷ୍ଟ ୧୪ ରାତି ୧୦ଟା ୪୫ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ ଏହି ରାଜଦଣ୍ଡ ଗ୍ରହଣ କରିଥିଲେ ।

ଆସନ୍ତା ୨୮ ତାରିଖରେ ଯେତେବେଳେ ନୂଆ ସଂସଦ ଭବନ ଉଦ୍ଘାଟନ ହେବ ସେତେବେଳେ ପ୍ରଧାନମନ୍ତ୍ରୀ ନୂଆ ଭବନରେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ଭାବେ ‘ସେନଗୋଲ’ ବା ରାଜଦଣ୍ଡ ସ୍ଥାପନ କରିବେ । ସଂସଦରେ ବାଚସ୍ପତି ବସୁଥିବା ପାଶ୍ୱର୍ରେ ଏହାକୁ ସ୍ଥାପନ କରାଯିବ । ଇଂରେଜମାନଙ୍କଠାରୁ କ୍ଷମତା ହନ୍ତାନ୍ତର କରିବା ସମୟରେ ଏହି ରାଜଦଣ୍ଡକୁ ତାମିଲନାଡୁରୁ ମଗାଯାଇଥିଲା । ସେନଗୋଲ ବର୍ତମାନ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ରଖାଯାଇଛି । ଏବେ ଏହାକୁ ନୂଆ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ରଖିବା ପାଇଁ ନିଷ୍ପତି ହୋଇଛି ।

ଏହି ରାଜଦଣ୍ଡକୁ ନେଇ ରାଜନୈତିକ ବୟାନବାଜି ହେଉଛି ସତ । କିନ୍ତୁ ଏହା ଭାରତର ଗୌରବମୟ ଇତିହାସର ଏକ ଅଂଶ ବୋଲି ହୁଏତ କେହି ଅସ୍ୱୀକାର କରିବେ ନାହିଁ ।