କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜାନୁଆରୀ ୧୭ରେ ଗଜପତି ମହାରାଜାଙ୍କ ଦ୍ୱାରା ହେବ ପୂର୍ଣ୍ଣାହୁତି । ସେଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ଏତିକିବେଳେ ଅନ୍ୟପଟେ ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ମଠଗୁଡିକରେ ରହିଥିବା ଅନେକ ପୁରାତନ କୀର୍ତ୍ତିରାଜୀ ଜରାଜିର୍ଣ୍ଣ ହୋଇପଡିଛି । ଯାହାକୁ ନେଇ ପୁରୀବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଦଘାଟନ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟ ଭିତରେ ଶେଷ କରିବା ପାଇଁ ଜୋରସୋରରେ କାମ ଚାଲିଛି । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ପ୍ରାୟ ୨୦ଟି ମଠର ପୁରାତନ ଐତିହ୍ୟ କୀତ୍ତିରାଜୀର ଚିହ୍ନବର୍ଣ୍ଣ ନାହିଁ । ମଠ ଗୁଡିକର ପୁନରୁଦ୍ଧାର କରିବା ବଦଳରେ ମଠକୁ ଖଣ୍ଡେଲାଇଟ୍ ପଥରରେ ଢ଼ାଙ୍କି ଦିଆଯାଉଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି, ଏହି ଖଣ୍ଡେଲାଇଟ୍ ପଥର ପ୍ୟାକିଂ ଭିତରେ ହଜି ଯାଇଛି ସମସ୍ତ କଳା ସ୍ଥାପତ୍ୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ।

ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ପ୍ରାୟ ୧୮ଟି ମଠର ପୁନରୁଦ୍ଧାର ଚାଲିଛି । ଏହା ଡିସେମ୍ବର ୨୭ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ଏବଂ ମଠର କୌଣସି ଐତିହ୍ୟ କୀର୍ତ୍ତିିରାଜୀକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି । ସେହିପରି ମଠଗୁଡିକରେ ଯେମିତି ଉକ୍ରଳୀୟ ସଂସ୍କୃତି ଓ କୀର୍ତ୍ତିରାଜୀ ଅକ୍ଷୁର୍ଣ୍ଣ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଶ୍ରୀମନ୍ଦିର ସହ ମଠ ଗୁଡିକର ସଂସ୍କୃତି ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ଏହି ମଠ ସଂସ୍କୃତିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।