ହୀରାମଣି ସଂଘର୍ଷ ସାମ୍ନାରେ ହାରି ନାହାନ୍ତି । ଘରର ମେରୁଦଣ୍ଡ ସାଜି ୪ ପ୍ରାଣୀଙ୍କ ପେଟ ପୋଷୁଛନ୍ତି ।

185

କନକ ବ୍ୟୁରା: ଆଜିର ସଭ୍ୟ ସମାଜରେ ମହିଳା ମାନଙ୍କର ଆସନ ବହୁ ଉଚ୍ଚରେ । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ଚେଷ୍ଟା କରୁଛି । ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ । ଆଜି ଆମେ ଏମିତି ଏକ ନାରୀଙ୍କ ବିଷୟରେ ଜଣାଇବୁ ଯିଏ ବୟସର ଅପରାହ୍ନରେ ମଧ୍ୟ ଥକି ପଡିନାହାଁନ୍ତି । ନିରବଚ୍ଛିନ୍ନ ଭାବେ ୨୫ବର୍ଷରୁ ଉର୍ଦ୍ଧ୍ବ ହେବ ଜୀବନଜୀବିକା ପାଇଁ ସଂଘର୍ଷ କରିଚାଲିଛନ୍ତି । ସ୍ୱାମୀଙ୍କ ଅକ୍ଷମତା ଦେଖି ପରିବାର ଚଳାଇବା ସହ ନିଜ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଘରୁ ଗୋଡ କାଢ଼ିଲେ ଏବଂ ଦାନ୍ତକାଠି ବିକ୍ରି କାରି ପୁଅ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିଛନ୍ତି ।

ଶାଳ ଦାନ୍ତକାଠି, ଶାଳପତ୍ର ଓ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୀ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ମୟୂରଭଂଜ ଶ୍ୟାମାଖୁଂଟା ବ୍ଲକ ଟିକରପଡା ଗାଁର ହୀରାମଣି ସିଂ । ହୀରାମଣିଙ୍କ ସଂସାର କହିଲେ ୪ ପ୍ରାଣୀ କୁଟୁମ୍ବ । ଝିଅ ବାହା ହୋଇଯିବା ପରେ ରୋଗୀଣା ସ୍ୱାମୀ ଓ ପାଠ ପଢୁଆ ପୁଅ ସହ ରହୁନ୍ତି ହୀରାମଣୀ । ଆଗରୁ ସ୍ୱାମୀ ମୁଲ ଲାଗି ପରିବାର ପୋଷୁଥିଲେ, ସେ ଅସୁସ୍ଥ ହୋଇ ପଡିବା ପରେ ହୀରାମଣୀଙ୍କ ହସ ଖୁସିର ସଂସାରରେ ଲାଗିଗଲା ଦୁଃଖର ନିଆଁ । ପିଲାଙ୍କ ମୁହଁରେ ଦାନା ଗଣ୍ଡାଏ ଦେବା ପାଇଁ ଚିନ୍ତାରେ ପଡିଯାଇଥିଲେ ହୀରା । ଆଉ ଏତିକି ବେଳେ ଦାନ୍ତକାଠି ବିକି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ହୀରାଙ୍କୁ ପ୍ରୋତ୍ସାହିତ କରିଥିଲେ ତାଙ୍କ ମାଆ ।

ହୀରାମଣୀ ପ୍ରଥମେ ଜଙ୍ଗଲରୁ ଶାଳ ଦାନ୍ତକାଠି ଓ ଶାଳପତ୍ର ସଂଗ୍ରହ କରି ପାଦରେ ଚାଲି ଗାଁ ଗାଁ ବୁଲି ବିକ୍ରି କରୁଥିଲେ । ପରେ ଟିକରପଡା ଗାଁ ନିକଟସ୍ଥ ଅସ୍ତିଆ ବଜାରରେ ପସରା ମେଲିଲେ ହୀରା । ଧିରେ ଧିରେ ରୋଜଗାର ବଢିବାରୁ ଗୋଟିଏ ଲୁନା ଗାଡି କିଣି ଏବେ ବାରିପଦା ବଜାରରେ ଦାନ୍ତକାଠି, ଲେମ†ୁ, ଶାଳ ପତ୍ର ଓ ବିଭିନ୍ନ ପ୍ରକାର ଶାଗ ବିକ୍ରୀ କରୁଛନ୍ତି ହୀରାମଣି । ଆଉ ନିଜେ ସ୍ୱାବଲମ୍ବୀ ହେବା ସହ ପୁଅର ପାଠପଢା ଖର୍ଚ ମଧ୍ୟ ତୁଲାଉଛନ୍ତି । ଅନେକ କ୍ଷେତ୍ରରେ ନାରୀ ଆଗକୁ ଗଲେଣି । ନାରୀ ମାଟିରୁ ଆକାଶ ଛୁଇଁଲେଣି କହିଲେ ଚଳେ, ଏସବୁ ଭିତରେ କିନ୍ତୁ ବାରିପଦା ସହରରେ ଦାନ୍ତକାଠି ବିକ୍ରୀ କରୁଥିବା ହୀରାମଣୀ ଜଣେ ଅଦ୍ଭୂତପୂର୍ବ ମାର୍ଗଦର୍ଶୀତା ନିଶ୍ଚୟ ।