ଆଜି ମୁଣ୍ଡଳୀରେ ପହଁଚିବ ହୀରାକୁଦ ବନ୍ୟାଜଳ: ଏହି ସବୁ ଜିଲ୍ଲାର ତଳିଆ ଅଂଚଳରେ ପଶିପାରେ ପାଣି

145

କନକ ବ୍ୟୁରୋ: ଓଡିଶାର ଜୀବନ ରେଖା, ମହାନଦୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବନ୍ୟା ଆଶଙ୍କା ସୃ୍ଷ୍ଟି ହୋଇଛି । ବିପଦସଂକେତ ତଳେ ଜଳସ୍ତର ରହିଥିଲେ ବି ହୀରାକୁଦରୁ ଆସୁଥିବା ପାଣି ପହଁଚିବା ପରେ, ମୁଣ୍ଡୁଳିଠାରେ ସାଢ଼େ ସାତ ଲକ୍ଷରୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି । ଯାହାକି ମହାନଦୀର ଅବବାହିକାରେ ଥିବା ତଳିଆ ଅଂଚଳରେ ବନ୍ୟା ଆଣିବାର ଆଶଙ୍କା ରହିଛି ।

ମହାନଦୀରୁ ବଡ ବିପଦ ନଥିବା ସରକାର କହୁଥିଲେ ବି ମହାନଦୀ ତଳ ମୁଣ୍ଡରେ ଥିବା କଟକ, ପୁରୀ, କେନ୍ଦ୍ରାପଡା, ଓ ଜଗସିଂହପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ପାଣି ପଶିବା ଆଶଙ୍କାକୁ ଏଡାଇ ହେବ ନାହିଁ ।

କେନ୍ଦ୍ରାପଡାର ମହାକାଳପଡା, ଗରଦପୁର, ଡେରାବିଶ୍, ମାର୍ଶାଘାଇ ଓ କେନ୍ଦ୍ରାପଡା ବ୍ଲକର ତଳିଆ ଅଂଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । କଟକର ଆଠଗଡ, ବାଙ୍କି, ସାଲେପୁର, କିଶନଗର ଓ ନିଆଳି ବ୍ଲକର ବିଭିନ୍ନ ତଳିଆ ଅଂଚଳକୁ ଭୟ ରହିଛି । ଜଗତସିଂହପୁରର ରଘୁନାଥପୁର, ତିର୍ତୋଲ, ଧୋୟା ଅଂଚଳକୁ ଭୟ ରହିଛି । ସେହିପରି ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, କାକଟପୁର, ନିମାପଡ଼ା ଓ ପିପିଲି ବ୍ଲକର ତଳିଆ ଅଂଚଳରେ ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି ।

ବର୍ଷା କମିଥିଲେ ବି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଚିନ୍ତାର କାରଣ ହୋଇଛି । ସେହିପରି ଆଗକୁ ପୂଣ୍ଣମି ଥିବାରୁ ସମୁଦ୍ରକୁ ନଦୀ ଜଳ ନିଷ୍କାସନ ହେବାର ସମସ୍ୟା ହୋଇପାରେ । ଯାହାକି ତଳିଆ ଅଂଚଳ ପାଇଁ ବିପଦର କାରଣ ହୋଇପାରେ ।

ଭଲ ଖବର ହେଉଛି ଛତିଶଗଡରେ ବର୍ଷା କମିବା ଯୋଗୁଁ କଲମା ବ୍ୟାରେଜରୁ ମହାନଦୀକୁ ଜଳ ନିଷ୍କାସନ ପରିମାଣ କମି ଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ କମ୍ ପାଣି ଆସୁଛି । ଯାହାଫଳରେ ହୀରାକୁଦର ଅଧିକ ଗେଟ୍ ଖୋଲିବା ସମ୍ଭାବନା ଆଉ ନାହିଁ । ଆଗକୁ କିଛି ଗେଟ୍ ମଧ୍ୟ ବନ୍ଦ କରାଯାଇପାରେ ।