କନକ ବ୍ୟୁରୋ : ହୀରାକୁଦ ବନ୍ଧକୁ ୭୦ ବର୍ଷ ବିତିଲାଣି, ହେଲେ ବିସ୍ଥାପନର କରୁଣ କାହାଣୀ ଆଜି ବି ପ୍ରତିଟି ପ୍ରଭାବିତ ପରିବାର ପାଇଁ ତାଜା ସ୍ମୃୁତି ହୋଇ ରହିଛି । ୧୯୫୪ ମସିହାରେ ନିଜର ଲହୁଲୁହ ଢାଳି ଯେଉଁମାନେ ହୀରାକୁଦ ପାଇଁ ଜମି ଛାଡିଛନ୍ତି ସେମାନେ ଆଜି ଉପେକ୍ଷିତ ହୋଇ ରହିଛନ୍ତି । ପ୍ରକଳ୍ପ ପାଇଁ ଭିଟାମାଟି ହରାଇ ନିଜ ପରିଚୟ ଖୋଜୁଛନ୍ତି । ନିର୍ବାସିତ ଜୀବନ ଜିଉଁଛନ୍ତି । ଜମି ପଟ୍ଟାଟିଏ ନଥିବାରୁ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଲୋନଟିଏ କରିପାରୁନଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି । ପ୍ରାୟ ୯୦୦ ପରିବାରକୁ ଜମି ପଟ୍ଟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଏବେ ବି ଅନେକ ଏହି ଅଧିକାରରୁ ବଂଚିତ ହୋଇଛନ୍ତି । ଅବଶିଷ୍ଟ ପରିବାରକୁ ଶୀଘ୍ର ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ୭ ଟି ଗାଁର ୮୬୬ଟି ବିସ୍ଥାପିତ ପରିବାର ପଟ୍ଟା ପାଇଛନ୍ତି । ୧୧ଟି ଗାଁର ସର୍ଭେ ଜାରି ରହିଛି । ଖୁବଶୀଘ୍ର ସେମାନଙ୍କୁ ଜମି ପଟ୍ଟା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବିଶ୍ୱର ଦୀର୍ଘତମ ହୀରାକୁଦ ନଦୀବନ୍ଧ କାର୍ଯ୍ୟକ୍ଷମ ହେବା ପରେ ୧ ଲକ୍ଷ ୨୩ ହଜାର ଏକର ଜମିରେ ପାଣି ମାଡିଯାଇଥିଲା । ପ୍ରାୟ ୧ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ବିସ୍ଥାପିତମାନେ ଝାରସୁଗୁଡା, ବରଗଡ ଓ ସମ୍ବ୍ଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି । ବିସ୍ଥାପିତଙ୍କୁ ଶୀଘ୍ର ନ୍ୟାୟ ଯୋଗାଇ ଦିଆଯିବ ବୋଲି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି କହିଛନ୍ତି ।
ସରକାର ପରେ ସରକାର ଆସୁଛି ଓ ଯାଉଛି । ହେଲେ ୭ ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲାଣି ହୀରାକୁଦ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ ।