ହୀରାକୁଦର ଜଳସ୍ତର ବଢ଼ି ମାଡ଼ି ଚାଲିଲା କୂଳ । ବନ୍ୟା ଘେରରେ ଗାଁ, ନଦୀ ଭ୍ରମ ସୃଷ୍ଟି କରୁଛି ଚାଷ ଜମି ।

201

କନକ ବ୍ୟୁରୋ: ହୀରାକୁଦ ଡ୍ୟାମ୍, କାହା ପାଇଁ ବିଦ୍ୟୁତର ଉତ୍ସ ତ’ ଆଉ କାହା ପାଇଁ ଜଳ ସେଚନର ସ୍ରୋତ । ଆଉ କିଏ କିଏ କୁହନ୍ତି, ଓଡ଼ିଶାକୁ ବନ୍ୟା ଦାଉରୁ ବଂଚାଉଥିବା ନଦୀବନ୍ଧ । ହେଲେ, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଲୋକଙ୍କ ପାଇଁ କ’ଣ ନିଜେ ଦେଖି ନିଅନ୍ତୁ । ଗାଁ ଦାଣ୍ଡରେ ୬ରୁ ୧୦ ଫୁଟ୍ ଯାଏଁ ପାଣି । ଆଉ ନଦୀଗର୍ଭରେ ଚାଲିଲା ଭଳି ଚାଲିଛି ଡଙ୍ଗା । ଗାଁକୁ ଘାଇ ଭାଙ୍ଗି କୌଣସି ନଦୀର ପାଣି ପଶି ଆସିନି, ବରଂ ଏମାନଙ୍କ ପାଇଁ ଅଭିଶାପ ପାଲଟିଛି ହୀରାକୁଦ ନଦୀବନ୍ଧ । ହୀରାକୁଦର ପଛୁଆ ପାଇଁ ଯେଉଁ ଭଳି ସ୍ଥିତି ସୃଷ୍ଟି କରିପାରେ କିଏ ହେଉଛି ତାର ବଡ଼ ପ୍ରମାଣ ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ି କୂଳ ମାଡ଼ି ଚାଲିଲା । ଯାହାଫଳରେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ୍ର ଚିଖିଲି, ଅନ୍ତରାଡ଼ି, ବେନିଆପାଲି, ଗୁଘୁରାପାଲି ଗାଁ ଏବେ ସଂପୂର୍ଣ୍ଣ ଜଳବନ୍ଦୀ । ଯାହାର ପକ୍କାଘର ସେମାନେ ଛାପ ଉପରେ ଆଉ ଯାହାର କଚ୍ଛାଘର ତାଙ୍କ ଠିକଣା ସରକାରୀ ଆଶ୍ରୟସ୍ଥଳ । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।

ଯେଉଁଠି ମଣିଷ ବଂଚିବା ପାଇଁ ସଂଘର୍ଷ କରୁଛି ସେଠି ଚାଷ ଜମି କଥା ପଚାରେ କିଏ? ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ସଶୀଳ ସମାଧୀ ନେଇ ସାରିଛି ହେକ୍ଟର ହେକ୍ଟର ଚାଷ ଜମି । ୪ଟି ଗାଁର ପ୍ରାୟ ୨ ହଜାର ଲୋକଙ୍କ ଠିକଣା ଏବେ ଏହି ଆଶ୍ରୟସ୍ଥଳୀ । ବନ୍ୟା ଆଶ୍ରୟସ୍ଥଳୀରେ ଗଣ୍ଡିଏ ଖାଇ, ଏବେ ଲୋକେ ଦିନ ଗଣୁଛନ୍ତି କେବେ ପାଣି କମିବ ଆଉ ସ୍ୱାଭାବିକ ସ୍ଥିତି ହେବ ।