ହୀରାକୁଦ ଜଳଭଣ୍ଡାରରୁ ଆଜି ପ୍ରଥମ ବନ୍ୟାଜଳ ନିଷ୍କାସନ : ଦିନ ୧୦ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିବ ଗେଟ୍ । କରୋନା ଯୋଗୁ ଲୋକଙ୍କୁ ଛଡାଯିବ ନାହିଁ ବୋଲି ପ୍ରଶାସନର ଘୋଷଣା । ତଳିଆ ଅଂଚଳର ଲୋକଙ୍କୁ କରାଗଲା ସତର୍କ

188

କନକ ବ୍ୟୁରୋ : ଆଜି ଖୋଲିବ ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ । ଦିନ ୧୦ଟାରେ ପରମ୍ପରା ଅନୁସାରେ ପୂଜାର୍ଚନା କରିବା ପରେ ଗେଟ ଖୋଲିିବାକୁ ଧାର୍ଯ୍ୟ କରାଯାଇଛି । ପରମ୍ପରା ଅନୁସାରେ ପ୍ରଥମେ ୭ ନଂବର ଗେଟ୍ ଓ ଏହାପରେ ୯ ନଂବର ଗେଟ ଖୋଲାଯିବ । ଏହାପରେ ଆବଶ୍ୟକତା ଅନୁଯାୟୀ ଗେଟ ଖୋଲାଯିବ ବୋଲି ସୂଚନା ରହିଛି । ତେବେ ବନ୍ୟା ସ୍ଥିତି ନଥିବାରୁ କେତେ ଗେଟ ଖୋଲାଯିବ ସେନେଇ ସ୍ପଷ୍ଟ କରିନାହାନ୍ତି ଡ୍ୟାମ କର୍ତୃପକ୍ଷ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଗେଟ ଖୋଲିବା ସମୟରେ କାହାରିକୁ ଛଡାଯିବ ନାହିଁ ବୋଲି ଘୋଷଣା କରିଛି ପ୍ରଶାସନ । ସାଧାରଣତଃ ହୀରାକୁଦରୁ ଛଡା ଯାଉଥିବା ଜଳ ଖଇରମାଳ ଓ ବରମୂଳ ପହଂଚିବାକୁ ୧୨ରୁ ୧୬ ଘଂଟା ଲାଗିଥାଏ । ସେହିପରି ମୁଣ୍ଡଳୀରେ ପହଂଚିବାକୁ ଲାଗିଥାଏ ୩୬ରୁ ୪୮ ଘଂଟା ।

ଏନେଇ ଡ୍ୟାମ କର୍ତୃପକ୍ଷ ମାଇକ ଯୋଗେ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରାଇଛନ୍ତି । ତଳମୁଣ୍ଡରେ ଥିବା ଅଂଚଳରେ ମତ୍ସ୍ୟଜୀବୀଙ୍କୁ ମହାନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସର୍ବଶେଷ ରିପୋର୍ଟ ଅନୁସାରେ, ହୀରାକୁଦରେ ଗତକାଲି ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୧୭ ଦଶମିକ ୨୩ ଫୁଟ ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଚଳିତ ଥର ଗତବର୍ଷ ଅପେକ୍ଷା ଶୀଘ୍ର ଗେଟ୍ ଖୋଲାଯାଉଛି ।