କନକ ବ୍ୟୁରୋ : ହୀରାକୁଦ ଛାଡିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବର୍ତ୍ତମାନ ମୋଟ ୨୦ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି ।ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମର ବାମ ପାର୍ଶ୍ବର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲାଯାଇଥିଲା । କର୍ତୃପକ୍ଷ ୭ ନମ୍ବର ଗେଟକୁ ଶୁଭ ମାନୁଥିବାରୁ ଦୀର୍ଘ ବର୍ଷ ହେବ ୭ ନମ୍ବର ଗେଟଟିକୁ ଖୋଲାଯାଇଥାଏ । ପରେ ଆଉ ୬ଟି ଗେଟ ଖୋଲଯାଇଛିଲା । ଦିନ ୧୨ଟା ପରେ ୭ଟି ଓ ୨ଟା ପରେ ୬ଟି ଗେଟ୍ ଖୋଲାଯାଇଥିଲା । ଏହି ବନ୍ୟାଜଳ ମୁଣ୍ଡଳୀରେ ପଂହଚିବାକୁ ୪୮ ଘଂଟା ଲାଗିବ । ଅର୍ଥାତ ୩୦ ତାରିଖ ଦିନ ୧୧ଟା ସୁଦ୍ଧା ମୁଣ୍ଡୁଳୀରେ ପଂହଚିବ ହୀରାକୁଦ ପାଣି । ଉପରମୁଣ୍ଡରେ ବର୍ଷା ହେଲେ ଆଉ ଅଧିକ ଗେଟ୍ ଖୋଲାଯାଇପାରେ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ।

Advertisment

ମହାନଦୀ ଅବବାହିକାରେ ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, କେନ୍ଦ୍ରପଡା ଓ ଜଗତସିଂହପୁର ଆସୁଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ମହାନଦୀକୁ ନ ଯିବାକୁ ଲୋକଙ୍କୁ ସତର୍କ କରାଯାଇଛି । ଗୃହପାଳିତ ପଶୁଙ୍କୁ ନଦୀ ପାଖକୁ ନ ଛାଡିବାକୁ କୁହାଯାଇଛି ।

ବନ୍ୟାଜଳ ଦେଖିବାକୁ ହୀରାକୁଦ ତଥା ମହାନଦୀରେ ଲୋକଙ୍କ ଭିଡ ଲାଗିଛି । ଲୋକେ ବିଭିନ୍ନ ସ୍ଥାନରୁ ଜଳଫୁଆରାରର ମଜା ନେଉଛନ୍ତି ।