ଖୋଲିଲା ହୀରାକୁଦ ବନ୍ଧର ୧୨ଟି ଗେଟ୍: ଆଜି ମୁଣ୍ଡଳି ପହଞ୍ଚିବ ହୀରାକୁଦ ପାଣି

116

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଶୁକ୍ରବାର ରାତି ୯ଟା ପରେ ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୨ ଗେଟ୍ ଦେଇ ୧ ଲକ୍ଷ ୮୫ ହଜାର ୧୬୦ କ୍ୟୁସେକ୍ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ଏହାପୂର୍ବରୁ ଶୁକ୍ରବାର ରାତି ୯ଟା ପର୍ୟ୍ୟନ୍ତ ବାମ ସ୍ପିଲ୍ୱେର ୬ ଓ ଡାହାଣ ପାଶ୍ୱର ୪ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଥିଲା। ୧୦ଟି ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୧ ଫୁଟ୍ରୁ ଅଧିକ ହ୍ରାସ ପାଇଥିଲା। ଗୁରୁବାର ଗେଟ୍ ଖୋଲିଲା ବେଳକୁ ଜଳସ୍ତର ୬୧୮.୦୪ ଫୁଟ୍ ଥିଲାବେଳେ ଶୁକ୍ରବାର ରାତି ୮ଟା ସୁଦ୍ଧା ଏହା ୬୧୬.୭୩ ଫୁଟକୁ ଖସିଥିଲା। ଶୁକ୍ରବାର ରାତି ୮ଟା ବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୦୩,୩୨୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୭୦,୦୫୩ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ବନ୍ଧ ବାମ ସ୍ପିଲ୍ୱେର ୬ ଓ ଡାହାଣ ସ୍ପିଲ୍ୱେର ୪ଟି ସ୍ଲୁଇସ୍ ଗେଟ୍ ଦେଇ ୧,୫୫,୦୫୫ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲା।

ସେହିପରି ପାୱାର ଚାନେଲ୍ ଦେଇ ୧୩,୫୯୪ କ୍ୟୁସେକ୍, ବିଭିନ୍ନ କେନାଲ୍ ଦେଇ ୧୨୩୪ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୨,୮୦୦ କ୍ୟୁସେକ୍, ପଥର୍ଲାଠାରେ ୩୦,୨୯୬ କ୍ୟୁସେକ୍, ଖଇରମାଲଠାରେ ୨ ଲକ୍ଷ ୪୬ ହଜାର କ୍ୟୁସେକ୍, ବରମୂଳଠାରେ ୬୦,୪୦୦ କ୍ୟୁସେକ୍, ମୁଣ୍ଡଳିଠାରେ ୯୭,୮୦୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା (ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା) ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪.୨୪ ମିଲିମିଟର୍ ଓ ତଳ ମୁଣ୍ଡରେ ୭.୫୩ ମିଲମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଗୁରୁବାର ସକାଳେ ହୀରାକୁଦରୁ ଛଡ଼ା ଯାଇଥିବା ବନ୍ୟା ଜଳ ଶନିବାର ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବା ସମ୍ଭାବନା ରହିଛି।