କନକ ବ୍ୟୁରୋ : ରାଜ୍ୟର ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ । ଏହି ଆସନକୁ ଏଥିପାଇଁ ହାଇପ୍ରୋଫାଇଲ କୁହାଯାଉଛି କାରଣ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସର ଗଡ ରହି ଆସିଥିବା ଏହି ଆସନରେ ୨୦୦୦ ମସିହା ପରଠାରୁ ଲଗାତାର ୪ଥର ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଏଣ୍ଟ୍ରି ପରେ ଏହି ଆସନରେ ବିରୋଧୀ ସତ୍ତା ହରାଇଥିବା ବେଳେ ବିଜେଡି ପାଇଁ ଏହା ଏବେ ଅଭେଦ୍ୟ ଦୂୁର୍ଗରେ ପରିଣତ ହୋଇଛି । କିନ୍ତୁ ଦୀର୍ଘ ୧୯ ବର୍ଷ ଧରି ଏହା ବିଜେଡିର ଦୁର୍ଗ ହୋଇ ରହିଥିବା ବେଳେ ଏବେ ଏହି ଦୁର୍ଗକୁ ଭେଦ କରିବାକୁ ବିରୋଧୀ କରୁଛନ୍ତି ବ୍ଲୁ-ପ୍ରିଣ୍ଟ ।
ଚଳିତ ନିର୍ବାଚନ ପାଇଁ ବିଜେଡି କ୍ଷେତ୍ର ପ୍ରସ୍ତୁତି କରିସାରିଲାଣି। ସେପଟେ ବିଭିନ୍ନ ସ୍ଥାନୀୟ ସମସ୍ୟାକୁ ନେଇ ବିଜେପି ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଦଳ ନିଜର ଭୋଟବ୍ୟାଙ୍କକୁ ଫେରାଇ ଆଣିବା ପାଇଁ ଲାଗିପଡିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଲଢ଼େଇ କରି ଆସୁଥିବା କାରଣରୁ ବିରୋଧୀ ଦଳମାନେ ଟକ୍କର ଦେବା ଭଳି ନିଜର ପ୍ରାର୍ଥୀ ଖୋଜୁଛନ୍ତି। କାରଣ ଗତ ନିର୍ବାଚନ ଗୁଡିକରେ ନବୀନ ଅପରାଜେୟ ରହିବା ସହ ଏକତରଫା ବିଜୟ ହାସଲ କରି ଆସୁଛି ।
ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୧୯୯୫ ମସିହାରେ ଜନତା ଦଳ ପ୍ରାର୍ଥୀ ହରିହର ସାହୁଙ୍କୁ ହରାଇ କଂଗ୍ରେସରୁ ବିଜୟୀ ହୋଇଥିଲେ ଉଦୟନାଥ ନାୟକ। ଏହାପରେ ୨୦୦୦ ମସିହାରୁ କଂଗ୍ରେସର ପ୍ରାର୍ଥୀ ଉଦୟନାଥ ନାୟକଙ୍କୁ ହରାଇ ବିଜେଡିରୁ ନବୀନ ପଟ୍ଟନାୟକ ବିଜୟଲାଭ କରିଥିଲେ। ଆଉ ଏହାପରେ ଅଟକନାହିଁ ନବୀନଙ୍କ ବିଜୟରଥ । ୨୦୦୦ ମସିହା ନିର୍ବାଚନରେ ପରାସ୍ତ ପରେ ମଧ୍ୟ କଂଗ୍ରେସ ହାର ନମାନି ନୂତନ ରଣନୀତି ନେଇ ୨୦୦୪ ମସହାରେ ନିର୍ବାଚନକୁ ଓହଲ୍ଲାଇଥିଲା ଓ କଂଗ୍ରେସରୁ ପାର୍ଥୀ ହୋଇଥିଲେ ଉଦୟନାଥ। କିନ୍ତୁ କାମ କରିନଥିଲା କଂଗ୍ରେସର ରଣନୀତି । ପୁଣିଥରେ ନବୀନ ପଟ୍ଟନାୟକ ବିଜୟଲାଭ କରି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ବିଜେଡି କଂଗ୍ରେସ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ବିରୋଧୀ ନେତା ଉଦୟନାଥ ନାୟକଙ୍କୁ ବିଜେଡି ଦଳରେ ସାମିଲ କରିଦେଇଥିଲା।
୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ହିଞ୍ଜଳିକାଟୁ ପୌରପାଳିକା, ବ୍ଲକ ଓ ଶେରଗଡ ବ୍ଲକକୁ ନେଇ ଗଠିତ ହେଲା ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ। ୨୦୦୯ ମସିହା ନିର୍ବାଚନରେ କଂଗ୍ରେସ ଦଳ ନିଜର ପ୍ରାର୍ଥୀ ପରିବର୍ତନ କରି ରାଘବ ପରିଡାକୁ ଟିକେଟ ଦେଇଥିଲା। କିନ୍ତୁ ପୁଣି ବିଜୟଲାଭ କରି ହ୍ୟାଟ୍ରିକ କରିଥିଲେ ନବୀନ ପଟ୍ଟନାୟକ। ସୀମା ପୁନଃନିର୍ଧାରଣ ପରେ ମଧ୍ୟ ବିରୋଧୀ ଦଳ ବିଜେଡିକୁ ଟକ୍କର ଦେବା ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ବି କୌଣସି ସୁଫଳ ମିଳିପାରିନଥିଲା। ୨୦୧୪ ମସିହାରେ କଂଗ୍ରେସରୁ ଶିବରାମ ପାତ୍ର ଓ ବିଜେପିରୁ ଦେବାନନ୍ଦ ମହାପାତ୍ର ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟ ସୂଚକ ଚୌକା ମାରିଥିଲେ ନବୀନ । ଆଉ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ରେକର୍ଡ କରିଥିଲେ ନବୀନ ।
ଏହି ନିର୍ବାଚନମଣ୍ଡଳୀରେ ପ୍ରତିଥର ନିର୍ବାଚନରେ ନିଜ ଭୋଟ ସହିତ ବିରୋଧୀ ଦଳର ଭୋଟକୁ ହାତେଇବାକୁ ବିଜେଡି ଚେଷ୍ଟା କରୁଛି। କିନ୍ତୁ ଚଳିତ ଥର ନିର୍ବାଚନ ପୂର୍ବରୁ ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପି ସାଂଗଠିନିକ ସ୍ଥିତି ସୃଦୁଢ଼ କରିବାରେ ଲାଗଛନ୍ତି। ଏଥର ଦାଦନ ଓ ଚାଷୀକୁ ନେଇ ଉଭୟ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଗତ ଥର କଂଗ୍ରେସ ଓ ବିଜେପି ଉଭୟ ପାର୍ଥୀ ପାଖାପାଖି ୧୨ ହଜାର ଭୋଟ ପାଇଥିବା ବେଳ ଚଳିତ ଥର କାହାର ଭୋଟ ବଢ଼ୁଛି ତାହା ଦେଖିବା ବାକି ରହିଛି।
ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନିଶ୍ଚିତ। ସେହିପରି କଂଗ୍ରେସ ଦଳରୁ ନିରଞ୍ଜନ ପାଣିଗ୍ରାହୀ, ପଦ୍ମ ଚରଣ ସାହୁ, ଶମ୍ଭୁ ପାଣିଗ୍ରାହୀ ଓ ରାମକୃଷ୍ଣ ପଣ୍ଡା ପ୍ରମୁଖ ଆଶାୟୀ ରହିଛନ୍ତି। ବିଜେପି ଗତଥର ପାର୍ଥୀ ଦେବାନନ୍ଦ ମହାପାତ୍ର ରହିଥିବା ବେଳେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପିଙ୍କି ପ୍ରଧାନ ପାର୍ଥୀ ହେବା ନେଇ ଚର୍ଚ୍ଚା ଧରିଛି। ସେହିପରି ଘୁମୁସର ଜିଲ୍ଲା ବିଜେପି ସମ୍ପାଦକ ଅନୀଲ କୁମାର ମହାପାତ୍ର ଆଶାୟୀ ରହିଛନ୍ତି। ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼େଇ ପାଇଁ କିଛି ସ୍ବାଧୀନ ପ୍ରାର୍ଥୀ ଓ ଅନ୍ୟାନ୍ୟ ଦଳ ଟିକେଟ ଦେବା ପାଇଁ ଯୋଜନା ପ୍ରସ୍ତୁତି କରୁଥିବାର ଦେଖିବାକୁ ମିଳୁଛି। ତେବେ ନବୀନ ଏହି ଆସନରେ ୪ଥର ବିଜୟୀ ହେବା ସହ ୪ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ଏହି ଆସନ ନବୀନଙ୍କ ପାଇଁ ଲକି ଆସନ ହୋଇଥିବା ବେଳେ ଏଠାରେ ବିଜୟ ବାନା ଉଡାଇଲେ ପୁଣିଥରେ ବିଜେଡି ଶାସନ କ୍ଷମତାକୁ ଆସିବ ବୋଲି ଏକ ଧାରଣା ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/HINJILIKATU.jpg)