କନକ ବ୍ୟୁରୋ : ପୁଣି ଥରେ ପ୍ରକୃତିର କରାଳ ରୂପ ଦେଖିଲା ଓଡିଶା । ୧୯୯୯ର ମହାବାତ୍ୟା ଭଳି ରଚିଲା ପ୍ରଳୟ । ଛାରଖାର କରିଦେଲା ଅଧା ଓଡିଶା । ଓଡିଶା ଇତିହାସରେ ଲିପିବଦ୍ଧ ହୋଇରହିଗଲା ମେ ୩ ତାରିଖ । ମାତ୍ର ୧୨ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ଚେହେରାକୁ ବିବର୍ଣ୍ଣ କରିଦେଲା ବାତ୍ୟା ‘ଫୋନି’ । ପ୍ରକୃତିର ଏହି କରାଳ ରୂପକୁ ଓଡିଶା ଗଣମାଧ୍ୟମ ସମେତ ଅନ୍ତର୍ଜାତୀୟ ଗଣମାଧ୍ୟମ ନିଜ ଚ୍ୟାନେଲ, ଖବରକାଗଜ ଏବଂ ୱେବ ପେଜରେ ସଠିକ୍ ଭାବରେ ପ୍ରସାରିତ କରୁଥିବା ବେଳେ ଭାରତୀୟ ସାମ୍ବାଦିକତାର ମୁଣ୍ଡ ନୁଆଁଇଦେଇଛି ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ।

Advertisment

ସାମୁଦ୍ରିକ ଝଡ ‘ଫୋନି’ ଉପକୂଳ ଓଡିଶାର ନକ୍ସା ପରିବର୍ତ୍ତନ କରିଦେଇଥିବା ବେଳେ, ବୋଧହୁଏ ହିନ୍ଦୁସ୍ତାନ ଟାଇମ୍ସ ଆଖିରେ ପଡିପାରିଲାନି ଓଡିଶାର କ୍ଷୟକ୍ଷତି । ଗତକାଲି ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ, ବାତ୍ୟା ଫୋନି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ଝାରଖଣ୍ଡରେ ମାଡ ହୋଇଛି । ଓଡିଶାର ନାଁ ମଧ୍ୟ ଉକ୍ତ ଖବରକାଗଜରେ ପ୍ରକାଶିତ ହୋଇନାହିଁ । ଏକ ଜାତୀୟ ଗଣମାଧ୍ୟମ ହିସାବରେ ହିନ୍ଦୁସ୍ତାନ ଟାଇମ୍ସର ଏଭଳି ଖବର ଭାରତୀୟ ସାମ୍ବାଦିକତାର ମୁଣ୍ଡ ନୁଆଁଇଦେଇଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ହିନ୍ଦୁସ୍ତାନ ଟାଇମ୍ସକୁ ଓଡିଶାରେ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ହେଉଛି ।