କନକ ବ୍ୟୁରୋ : ରିଲିଜର ପ୍ରଥମ ଦିନରୁ ବିବାଦ ଘେରରେ ‘ଆଦିପୁରୁଷ’ । ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଲା ହିନ୍ଦୁ ସେନା । ଭଗବାନ ଶ୍ରରାମ ଓ ଦେଶର ସଂସ୍କୃତିକୁ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି । ଭଗବାନ ରାମ ଏବଂ ଆମ ସଂସ୍କୃତିକୁ ଏଥିରେ ଉପହାସ କରାଯାଇଥିବାରୁ ହିନ୍ଦୁମାନଙ୍କ ଭାବାବେଗକୁ ଏହା ଆଘାତ କରିଛି । ହିନ୍ଦୁ ଭଗବାନ ରାମ, ରାବଣ, ସୀତା ଏବଂ ହନୁମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଆପତ୍ତିଜନକ ଦୃଶ୍ୟ ଠିକ୍ ନୁହେଁ ।

Advertisment

ମହର୍ଷି ବାଲ୍ମିକୀଙ୍କ ଦ୍ବାରା ରାମାୟଣ ରଚନା ହୋଇଥିବାବେଳେ ସନ୍ଥ ତୁଳସୀ ଦାସଙ୍କ ଦ୍ବାରା ରାମଚରିତ ମାନସ ରଚନା ହୋଇଛି । କିନ୍ତୁ ସିନେମାରେ ‌ଚରିତ୍ରଗୁଡ଼ିକୁ ଯେଭଳି ପ୍ରଦର୍ଶିତ କରାଯାଇଛି ତାହା ରାମାୟଣ ଏବଂ ରାମଚରିତ ମାନସରେ ବର୍ଣ୍ଣିତ ଚରିତ୍ରର ବିରୋଧାଭାଷ କରୁଛି । ସୈଫ ଅଲ୍ଲୀ ଖାନ୍ ରାବଣ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ତାଙ୍କର ଦାଢ଼ି ଥିବା ଦୃଶ୍ୟ ଉପରେ ଆପତ୍ତି ଉଠାଯାଇଛି । ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଖରାପ ଦେଖାଯାଉଛି । ହିନ୍ଦୁ ବ୍ରାହ୍ମଣ ରାବଣଙ୍କ ଏଭଳି ଚିତ୍ରଣ ହିନ୍ଦୁ ସଭ୍ୟତା ପ୍ରତି ଅପମାନ । ରାବଣଙ୍କୁ ନେଇ ପ୍ରସ୍ତୁତ ଦୃଶ୍ୟଗୁଡ଼ିକରେ ତଥ୍ୟକୁ ବିକୃତ କରାଯାଇଛି ବୋଲି ଆବେଦନରେ କୁହାଯାଇଛି ।