କନକ ବ୍ୟୁରୋ : କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶରେ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଏହି କ୍ରମରେ ଆଜି ଗୁଜୁରାଟ ସୁରଟରେ ବି ହିଂସା ଦେଖିବାକୁ ମିଳିଛି । ଗୁଜୁରାଟ ସୁରତର ଏକ ସ୍କୁଲକୁ ହିଜାବ ପିନ୍ଧି ଛାତ୍ରୀମାନେ ପରୀକ୍ଷା ଦେବାକୁ ଆସିଥିବା ବେଳେ ଏହାକୁ ନେଇ ବିଶ୍ୱହିନ୍ଦୁ ପରିଷଦର କର୍ମୀମାନେ ହୋ ହାଲ୍ଲା କରିଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ବିଶ୍ୱହିନ୍ଦୁ ପରିଷଦର ୧୫ ଜଣ କର୍ମୀଙ୍କୁ ହେପାଜତକୁ ନେଇଛି । କେବଳ ସେତିକି ନୁହେଁ ପରିସ୍ଥିତିକୁ ଦେଖି ପୋଲିସ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।
ସୂଚନା ମୁତାବକ ସୁରତର ବରଚ୍ଛା ସ୍ଥିତ ପିପି ସବାଣୀ ସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ୪-୫ ଜଣ ମୁସଲିମ ଛାତ୍ରୀ ହିଜାବ ପରିଧାନ କରି ପରୀକ୍ଷା ଦେବାକୁ ଆସିଥିଲେ । କେହି ଜଣେ ଅଜଣା ବ୍ୟକ୍ତି ଏହି ସମୟର ଭିଡିଓ କରି ବିଶ୍ୱ ହିନ୍ଦୁ ପରିଷଦକୁ ସୂଚନା ଦେଇଥିଲା । କିଛିସମୟ ପରେ ବିଶ୍ୱହିନ୍ଦୁ ପରିଷଦର ଲୋକମାନେ ସ୍କୁଲରେ ପହଂଚି ହଙ୍ଗାମା ଆରମ୍ଭ କରିଦେଇଥିଲେ । କେବଳ ହଙ୍ଗାମା ନୁହେଁ ଭିଏଚପି କର୍ମୀମାନେ ସିଧା ସ୍କୁଲ ପ୍ରିନ୍ସପାଲଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ଏନେଇ ପ୍ରିନ୍ସପାଲଙ୍କ ସୂଚନା କ୍ରମେ ପୋଲିସ ସେଠାରେ ପହଂଚି ବିଶ୍ୱହିନ୍ଦୁ ପରିଷଦର ୧୫ ଜଣ କର୍ମୀଙ୍କୁ ହେପାଜତକୁ ନେଇଛି ।
ସ୍କୁଲରେ ପହଂଚି ହୋହାଲ୍ଲା କରୁଥିବା ବିଶ୍ୱହିନ୍ଦୁ ପରିଷଦର କର୍ମୀଙ୍କ ମଧ୍ୟରୁ ନେତା ନିଲେଶ ଅକବରୀ କହିଛନ୍ତି କି ଗୁଜୁରାଟକୁ ସାହିନବାଗ କରିବାକୁ ଯୋଜନା ଚାଲିଛି । ଏନେଇ ସେ ପ୍ରିନ୍ସପାଲଙ୍କୁ କାହିଁକି ଡ୍ରେସକୋର୍ଡ ନିୟମ ପାଳନ କରାଯାଉ ନାହିଁ ବୋଲି ପଚାରିଥିବା କଥା କହିଛନ୍ତି ।
କହିରଖୁ କି ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରଥମେ କର୍ଣ୍ଣାଟକରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା । କର୍ଣ୍ଣାଟକର ଓଡୁପି ଜିଲ୍ଲାର ଏକ ଜଲେଜକୁ କିଛି ମୁସଲିମ ଛାତ୍ରୀ ହିଜାବ ପିନ୍ଧି ଆସିବାକୁ ବିରୋଧ କରାଯାଇଥିଲା । ଏହାପରେ ବିବାଦ ଉଗ୍ରରୂପ ନେବାରେ ଲାଗିଛି । ଗତକାଲି ଏହି ବିବାଦକୁ କେନ୍ଦ୍ରକରି ଜଣେ ହିନ୍ଦୁ ସଂଗଠନର ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଆଜି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।
Follow Us