ଭାରତ-ଚୀନ୍ ସଂପର୍କରେ ନୂଆ ଅଧ୍ୟାୟ । ଜିନପିଙ୍ଗ କହିଲେ ଭାରତ-ଚୀନ୍ ଭାଇ ଭାଇ । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଏକାଠି ହେବେ ଦୁଇ ଦେଶ ।

250

କନକ ବ୍ୟୁରୋ : ଚୀନ-ଭାରତ ସମ୍ପର୍କରେ ନୂଆ ମାଇଲଖୁଂଟ ହୋଇପାରେ ମୋଦି-ଜିନପିଙ୍ଗ ବୈଠକ । ଭାରତ-ଚୀନ ଭାଇ ଭାଇ ବୋଲି କହିଛନ୍ତି ଚୀନ୍ ରାଷ୍ଟ୍ରପତି । ଏହା ସହ ଭାରତର ଆତିଥ୍ୟ ତାଙ୍କୁ ଓ ତାଙ୍କ ପ୍ରତିନିଧି ଦଳକୁ ଅଭିଭୂତ କରିଛି ବୋଲି କହିଛନ୍ତି ଜିନପିଙ୍ଗ୍ । ସେପଟେ ମୋଦି କହିଛନ୍ତି ଚୀନ ଓ ତାମିଲନାଡୁ ମଧ୍ୟରେ ଗଭୀର ସାଂସ୍କତିକ ଓ ବାଣିଜ୍ୟ ସମ୍ବନ୍ଧ ରହିଛି ।

ଭାରତ-ଚୀନ୍ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ୟୁହାନ ଶିଖର ସମ୍ମିଳନୀ ପରେ ଭାରତରେ ଆୟୋଜିତ ଏହି ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ପ୍ରାୟ ସାଢେ୫ଘଂଟା ଧରି ଆଲୋଚନା ହୋଇଛି । ତେବେ କାଶ୍ମୀର ପ୍ରସଙ୍ଗ ଏଥିରେ ସ୍ଥାନ ପାଇନାହିଁ । କିନ୍ତୁ ଆତଙ୍କବାଦୀ ସମସ୍ୟାର କିପରି ମୁକାବିଲା କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ଚୀନକୁ ଆସିବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଜିନପିଙ୍ଗ ।

ଭାରତ-ଚୀନ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନର ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ ଲମ୍ବା ଆଲୋଚନା ହୋଇଛି । ସାଢେ ୫ଘଂଟା ଘରି ଧରି ଏକାଧିକ ପର୍ଯ୍ୟାୟରେ ହୋଇଥିବା ଏହି ୱାନ-ଟୁ-ୱାନ ଆଲୋଚନାରେ ଚେନ୍ନାଇ କନେକ୍ଟ ମାଧ୍ୟମରେ ଭାରତ-ଚୀନ ମଧ୍ୟରେ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ୟୁହାନ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଆଗେଇଛି । ତେବେ ଦୁଇ ଦେଶ ମଧ୍ୟରେ ଥିବା ବିଭେଦକୁ ବିବାଦର ରୂପ ଦିଆନଯାଇ ବରଂ ସମାଧାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୋଦି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋଦି-ଜିନପିଙ୍ଗ ଆଲୋଚନାରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇନାହିଁ । ତେବେ ଆତଙ୍କବାଦ ଏବଂ କଟରପନ୍ଥିଙ୍କ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଛନ୍ତି । ଏଥିସହ ମୋଦିଙ୍କୁ ଚୀନ ଆସିବା ପାଇଁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ।