କନକ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ଚତୁର୍ଥ ଦିନ । ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତରେ ପରୀକ୍ଷା ଦେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସାହିତ୍ୟ, ଇଂରାଜୀ ଓ ଗଣିତ ପରୀକ୍ଷାରେ କେତେକ ପରୀକ୍ଷା କେନ୍ଦ୍ରରୁ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ତ୍ରୁଟି ସୁଧାରିବାକୁ ସଜାଗ ହୋଇଛି ବୋର୍ଡ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏଆଇ ଦ୍ୱାରା ପରୀକ୍ଷାକୁ ନିୟନ୍ତ୍ରଣ କରାଯାଉଛି । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରିଛି ବୋର୍ଡ । କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାଡ, ୭୨ଟି ଫ୍ଲାଇଂ ସ୍କ୍ୱାଡ ଗଠନ ହୋଇଛି । ସମ୍ବେଦଶନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ବ୍ୟବସ୍ଥା କରାଯିବା ସହ ସମସ୍ତ ନୋଡାଲ ସେଣ୍ଟରରେ ଲାଇଭ ଷ୍ଟ୍ରିମିଂ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଏଥର କଡ଼ା ପୁଲିସ ପାଟ୍ରୋଲିଂ କରାଯାଇଛି । ଚଳିତବର୍ଷ ରାଜ୍ୟର ୨ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ମୋଟ ୫ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ ।