ଆଦାନି ଗ୍ରୁପକୁ ହଟହଟା କଲାଣି ହିଣ୍ଡେନବର୍ଗ ରିପୋର୍ଟ । ମାସେ ମଧ୍ୟରେ ଉଡିଗଲାଣି ୧୩୪ ବିଲିଅନ ଡଲାର ।

ଆଦାନି ଗ୍ରୁପକୁ ହଟହଟା କଲାଣି ହିଣ୍ଡେନବର୍ଗ ରିପୋର୍ଟ । ମାସେ ମଧ୍ୟରେ ଉଡିଗଲାଣି ୧୩୪ ବିଲିଅନ ଡଲାର ।

କନକ ବ୍ୟୁରୋ : ଆଦାନିଙ୍କ ପିଛା ଛାଡୁନି ହିଣ୍ଡେନବର୍ଗ ଝଡ । ଆଦାନି ଗ୍ରୁପ୍‌ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ କରୋନା ମହାମାରୀ ବେଳେ କ୍ଷୀପ୍ରଗତିରେ ଆଗକୁ ବଢ଼ିଥିଲା। ଏତେ ବଢ଼ିଯାଇଥିଲା ଯେ ଏହାର ପ୍ରତିଷ୍ଠାତା ଗୌତମ ଆଦାନି ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତିରେ ପରିଣତ ହୋଇଥିଲେ। କିନ୍ତୁ ଗତମାସ ୨୪ ତାରିଖରେ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଏହି ଗ୍ରୁପ ବିରୋଧରେ ଷ୍ଟକ ଏବଂ ଆକାଉଣ୍ଟିଂ ଜାଲିଆତି ଅଭିଯୋଗ ଆଣିବା ପରେ ଅଦାନୀଙ୍କୁ ଲାଗିଛି ସାଂଘାତିକ ଝଟକା । ଆମେରିକୀୟ ସଂସ୍ଥା କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଆଦାନି ଗ୍ରୁପ୍ କହୁଥିଲେ ମଧ୍ୟ ନିବେଶକମାନଙ୍କ ମନ ସେଥିରେ ବୁଝୁନାହିଁ। ଗତମାସ ୨୪ ତାରିଖରୁ ଆଜି ମଧ୍ୟରେ ଆଦାନି ଗ୍ରୁପ୍‌ର ସେୟାର ମୂଲ୍ୟ ୧୩୪ ବିଲିଅନ ଡଲାର ଧୋଇଗଲାଣି। ଅର୍ଥାତ୍ ଭାରତର ମୋଟ ଜିଡିପି ୩.୧୭ ଲକ୍ଷ କୋଟି ଡଲାରର ଏହା ୪.୨୨ ପ୍ରତିଶତ। ଅଦାନି ଯେଉଁ କ୍ଷତି ସହିଛନ୍ତି ତାହା ଆଙ୍ଗୋଲାର ଜିଡିପି ସହ ସମାନ। ଆଜି ଆଦାନି ଗ୍ରୁପ ଅଧୀନ ୧୦ଟି କମ୍ପାନିର ବଜାରପୁଞ୍ଜି ୮,୦୯,୧୮୨ କୋଟି ଟଙ୍କା ବା ୯୮ ବିଲିଅନ ଡଲାର ରହିଥିବା ଆକଳନ କରାଯାଇଛି।

ଜାନୁଆରୀ ୨୪ରେ ଏହି କମ୍ପାନି ଗୁଡ଼ିକର ମୋଟ ବଜାରପୁଞ୍ଜି ୧୯,୧୯,୮୮୮ କୋଟି ଟଙ୍କା ଥିଲା। ଆଜି ସୁଦ୍ଧା ସେଥିରେ ୧୧,୧୦,୭୦୬ କୋଟି ଟଙ୍କା ବା ୧୩୪ ବିଲିଅନ ଡଲାର କ୍ଷତି ହୋଇଛି। ମୂଲ୍ୟ ଅନୁସାରେ ଆଦାନି ଟୋଟାଲ ଗ୍ୟାସ ସବୁଠୁ ଅଧିକ କ୍ଷତି ସହିଛି। ଏହି କମ୍ପାନିର ବଜାରପୁଞ୍ଜି ୩.୩୦ ଲକ୍ଷ କୋଟି ଟଙ୍କା ଧୋଇଯାଇଛି। ଆଦାନି ଟ୍ରାନ୍ସମିସନ, ଆଦାନି ଏଣ୍ଟରପ୍ରାଇଜେସ ଏବଂ ଆଦାନି ଗ୍ରିନ ଏନର୍ଜିର ବଜାରପୁଞ୍ଜି ୨ ଲକ୍ଷ କୋଟି ଟଙ୍କା ଲେଖାଏଁ ହ୍ରାସ ପାଇଛି। ଆଦାନି ପାୱାର ଏବଂ ଆଦାନି ପୋର୍ଟସ ଆଣ୍ଡ୍‌ ଏସଇଜେଡ୍‌ ମୂଲ୍ୟରେ ୩୯,୯୭୭ କୋଟି ପର୍ୟ୍ୟନ୍ତ ହ୍ରାସ ଘଟିଛି।

ଏଥିସହିତ ଆଜି ଆଦାନି ଟୋଟାଲ ଗ୍ୟାସ, ଆଦାନି ଟ୍ରାନ୍ସମିସନ ଏବଂ ଆଦାନି ଗ୍ରିନର ସେୟାର ମୂଲ୍ୟରେ ଆଜି ୫ ପ୍ରତିଶତରୁ ଅଧିକ ହ୍ରାସ ଘଟି ବର୍ଷକର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆଦାନି ୱିଲମାରର ସେୟାର ମୂଲ୍ୟରେ ୪.୩୩ ପ୍ରତିଶତ, ଆଦାନି ଏଣ୍ଟରପ୍ରାଇଜେସର ସେୟାର ମୂଲ୍ୟରେ ୩.୧୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ସେନସେକ୍ସ ଆଜି ୧୯ ପଏଣ୍ଟ ହ୍ରାସ ଘଟି ୬୦,୬୭୩ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୧୮ ପଏଣ୍ଟ ହ୍ରାସ ଘଟି ୧୭,୮୨୭ ପଏଣ୍ଟରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe