ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ: ଆଦାନୀଙ୍କ ଯେତିକି କ୍ଷତି ହୋଇଛି…ସେଥିରେ ୫ବର୍ଷ ମାଗଣା ରାସନ ପାଇଥାନ୍ତେ ୮୦ କୋଟି ଲୋକ

514

କନକ ବ୍ୟୁରୋ: ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର ହ୍ରାସ ପାଇବାରେ ଲାଗିଛି । ପତ୍ରଝଡା ଦେବାଭଳି ଆଦାନୀଙ୍କ ସେୟାର ମୂଲ୍ୟ ହ୍ରାସ ହୋଇଚାଲିଛି । ୨୦୨୩ ଜାନୁଆରୀ ୨୪ପରେ ଆଦାନୀ ଗ୍ରୁପର ସେୟାର ଏତେ ହ୍ରାସ ପାଇଲା ଯେ, ବିଶ୍ୱର ଧନୀ ତାଲିକାରେ ଆଦାନୀ ଶ୍ରେଷ୍ଠ-୨୦ରୁ ବାଦ ପଡିଛନ୍ତି । ସେୟାର ହ୍ରାସ ପରେ ଆଦାନୀ ଗ୍ରୁପର ବଜାର ସ୍ଥିତି ହ୍ରାସ ପାଇଛି । ଏହି କାରଣରୁ କମ୍ପାନୀକୁ ୧୦ ଲକ୍ଷ କୋଟିରୁ ଅଧିକ କ୍ଷତି ହୋଇସାରିଛି । ଏତେ ପରିମାଣରେ କ୍ଷତି ହୋଇଛି ଆପଣ ଏଥିରୁ ଅନ୍ଦାଜ ମଧ୍ୟ ଲଗାଇପାରିବେ ଯେ, ଚଳିତ ଆର୍ଥିକ ବର୍ଷରେ ରେଳ ବଜେଟ ରହିଛି ୨.୪୦ ଲକ୍ଷ କୋଟି । ଆଦାନୀ ଗ୍ରୁପର କ୍ଷତି ୧୦ ଲକ୍ଷ କୋଟି । ଯାହା ରେଳ ବଜେଟରୁ ପାଞ୍ଚ ଗୁଣା ଅଧିକ ।

ହିଣ୍ଡନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ଗୌତମ ଆଦାନୀ ସାମ୍ରାଜ୍ୟ ବୁଡିଯାଉଥିବା ନଜର ଆସିଛି । ଏଥିପାଇଁ ଆପଣ ଏମିତି ଭାବି ନିଅନ୍ତୁ ଯେ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ବଜେଟ ପରିମାଣ ୪୫.୦୩ ଲକ୍ଷ କୋଟି ରହିଛି । ଏତେ ବଡ ପରିମାଣର ପ୍ରାୟ ଏକ ଚତୁର୍ଥାଂଶ କ୍ଷତି ସହିଛନ୍ତି ଆଦାନୀ । ମାତ୍ର ୧୦ ଦିନରେ ସେ ଏଭଳି ସ୍ଥିତିର ସାମ୍ନା କରିସାରିଛନ୍ତି । ଆଦାନୀ ଗ୍ରୁପର ଯେତିକି କ୍ଷତି ହୋଇଛି ତାହା ଭାରତର ପ୍ରତିରକ୍ଷା ବଜେଟ ୪ ଲକ୍ଷ ୩୨ ହଜାର କୋଟିର ଦୁଇ ଗୁଣା ଟଙ୍କା ।

ତେବେ ଆଦାନୀ ଗ୍ରୁପର ୧୦ ଦିନରେ ଯେତିକି କ୍ଷତି ହୋଇଛି ସେହି ଟଙ୍କାରେ ଭାରତର ୮୦ କୋଟି ଲୋକଙ୍କୁ ପାଖାପାଖି ୫ ବର୍ଷ ଯାଏ ମାଗଣାରେ ରାସନ ଦିଆଯାଇ ପାରିଥାନ୍ତା । କେନ୍ଦ୍ର ସରକାର ୨୦୨୩ରେ ପିଏମ ଅନ୍ନ କଲ୍ୟାଣ ଯୋଜନାରେ ପାଖାପାଖି ୨ ଲକ୍ଷ କୋଟିର ବଜେଟ ରଖିଛନ୍ତି । ସେପଟେ ଆଦାନୀ ଗ୍ରୁପର କ୍ଷତି ହୋଇଛି ୧୦ ଲ କ୍ଷ କୋଟିରୁ ଅଧିକ । ଯଦି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ସବସିଡି, ପେନସନ, ଗ୍ରାମୀଣ ବିକାଶର ମୋଟ ବଜେଟକୁ ଯୋଡିଦିଅନ୍ତି ତେବେ ଆଦାନୀ ଗ୍ରୁପର ହୋଇଥିବା କ୍ଷତିର ବରାବର ହୋଇପାରିବ ନାହିଁ । ଏହି ସ୍ଥିତି ଗୋଟିଏ ରିପୋର୍ଟ ପାଇଁ ଉତ୍ପନ୍ନ ହୋଇଛି ।

ଆମେରିକାର କମ୍ପାନୀ ହିଣ୍ଡନବର୍ଗ ଆଦାନୀ ଗ୍ରୁପକୁ ନେଇ ଯେଉଁ ରିସର୍ଚ୍ଚ ରିପୋର୍ଟରେ ପ୍ରକାଶ କରିଥିଲା ସେଥିରେ ଅନେକ ପ୍ରଶ୍ନ ଉଠିଥିଲା । ଏଥିରେ ୮୮ଟି ପ୍ରଶ୍ନ ଉଠାଯାଇଥିଲା । ୨୦୨୩ ଜାନୁଆରୀ ୨୪ରେ କମ୍ପାନୀ ଏହି ରିପୋର୍ଟକୁ ସାର୍ବଜନୀନ କରିଥିଲା । ତେବେ ଏହାକୁ ନେଇ ଆଦାନୀ ଗ୍ରୁପ ମଧ୍ୟ ନିଜର ଜବାବ ରଖିଥିଲା । କିନ୍ତୁ ଏହାର ପ୍ରଭାବ ସେୟାର ଉପରେ ପଡିଚାଲିଥିଲା । ଆଦାନୀ ଗ୍ରୁପ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିସାରିଛି ।