କରୋନା ପାଇଁ କୋକୁଆ ଭୟ : ୮୪ ହଜାର କୋଟିରୁ ଅଧିକ ଟଙ୍କା ନଷ୍ଟ କରିଦେବ ଚୀନ୍!

1,867

କରୋନା ଭାଇରସର କରୁଣ ପରିଣତି ଭୋଗୁଛି ଚୀନ୍ । କେବଳ ଚୀନ୍ ନୁହେଁ ଏହି ପ୍ରାଣଘାତୀ ଭାଇରସ ପୂରା ବିଶ୍ୱରେ ଆତଙ୍କ ଖେଳାଇଛି । ଏହି ଭାଇରସ ଏବେ ୧୮୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ କେବଳ ଚୀନରେ ମୃତାହତଙ୍କ ସଂଖ୍ୟା ୧୭୫୦ରୁ ଅଧିକ । ପୂରା ବିଶ୍ୱରେ ୭୨ ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ଜୀବନ ଓ ମୃତ୍ୟୁ ସହ ଲଢେଇ କରୁଥିବା ବେଳେ କେବଳ ଚୀନରେ ଏହି ସଂଖ୍ୟା ୭୦ ହଜାରରୁ ଅଧିକ ରହିଛି । ଏଭଳି ସ୍ଥିତିରେ ଚୀନରେ ମାସ୍କ ମିଳୁନଥିବା ବେଳେ ରୋଗୀମାନଙ୍କ ପାଇଁ ପର୍ଯ୍ୟାପ୍ତ ଔଷଧ ନଥିବା ବିଭିନ୍ନ ରିପୋର୍ଟରେ ସାମ୍ନାକୁ ଆସୁଛି । ମୋଟାମୋଟି ଭାବେ କହିବାକୁ ଗଲେ କରୋନା ଭାଇରସ ଚୀନ୍ ପାଇଁ ଘାତକ ସାବ୍ୟସ୍ତ ହୋଇଛି । କାରଣ କରୋନା ଭାଇରସରେ ମଣିଷ ସଂକ୍ରମିତ ହେବା ସହ ଚୀନର ଅର୍ଥବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଉ ଏଭଳିସ୍ଥଳେ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ହଜାର ହଜାର କୋଟି ଟଙ୍କା ଚୀନ୍ ନଷ୍ଟ କରିବାକୁ ଯାଉଛି ।

କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ନୋଟ ଗୁଡିକୁ ନଷ୍ଟ କରିବାକୁ ଚୀନ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏଥିପାଇଁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଚୀନର ସେଣ୍ଟ୍ରାଲ ବ୍ୟାଙ୍କର କହିବା ଅନୁଯାୟୀ, ବଜାରରୁ ଆସିଥିବା ନୋଟ ଗୁଡିକୁ ଖୁବଶୀଘ୍ର ନଷ୍ଟ କରାଯିବ । ଖାସକରି ହସ୍ପିଟାଲ, ବଜାର ଓ ବସରୁ ଅଣାଯାଇଥିବା ନୋଟ ଗୁଡିକୁ ନଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଛି ବ୍ୟାଙ୍କ୍ ।

ସେହିଭଳି ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା ମଧ୍ୟ ସମସ୍ତ କାଗଜ ନୋଟକୁ ନଷ୍ଟ କରିବାକୁ ଆଦେଶ ଦେଇଛି । ତେବେ ଚୀନ୍ ସେଣ୍ଟ୍ରାଲ ବ୍ୟାଙ୍କ୍ କେତେ ଟଙ୍କା ନଷ୍ଟ କରିବାକୁ ନିଷ୍ପତି ନେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ କାଗଜ ଟଙ୍କାକୁ ନଷ୍ଟ କରିବା ପୂର୍ବରୁ ୧୭ ଜାନୁଆରୀରୁ ଏବେ ପର୍ଯ୍ୟନ୍ତ ପୂରା ଦେଶରେ ୬୦୦ ବିଲିୟନ ୟୁଆନ ଭାରତୀୟ ମୁଦ୍ରାରେ ପାଖାପାଖି ୬.୧୧ ଲକ୍ଷ କୋଟି ନୂଆ ଟଙ୍କା ବଜାରକୁ ଛାଡିଛି । ଏଥିରୁ ୪ ବିଲିୟନ ୟୁଆନ ଅଥାର୍ତ ୨୮ ହଜାର ୫୮୧ କୋଟି ଟଙ୍କାର ନୂଆ ନୋଟ କେବଳ ବୁହାନ ଅଞ୍ଚଳକୁ ପଠାଯାଇଛି ।

ଚୀନର ସେଣ୍ଟ୍ରାଲ ବ୍ୟାଙ୍କ୍ ଅନୁଯାୟୀ, ପୂର୍ବରୁ ବଜାରରେ ଥିବା କାଗଜ ଟଙ୍କାକୁ ପ୍ରଥମେ ନଷ୍ଟ କରିବାକୁ ପଡିବ । ଏହାବାଦ୍ ଜାନୁଆରୀ ପରେ ବଜାରକୁ ଛଡାଯାଇଥିବା ନୋଟକୁ କ୍ୱାରଣ୍ଟିନ କରାଯିବ । ଏଥିପାଇଁ ନୋଟକୁ ଅଲଟ୍ରାଭାୟଲେଟ କିରଣରେ ସଫା କରାଯିବ । ଏହି ନୋଟ ଗୁଡିକୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରଣ୍ଟିନ କରାଯିବା ପରେ ପୁଣିଥରେ ବଜାରକୁ ଛଡାଯିବ ।

ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚୀନ, ବୁହାନ ଓ ଦକ୍ଷିଣ ଅଞ୍ଚଳରେ ଥିବା ରାଜ୍ୟଗୁଡିକରେ ଯେଉଁ ୮୪,୩୨୧ କୋଟି ଟଙ୍କାର କାଗଜ ନୋଟ ଛାଡିଛି ତାହାକୁ ନଷ୍ଟ କରିପାରେ । ଏପରିକି ଏଥିପାଇଁ ପାଖରେ ଥିବା ପୁରୁଣା ନୋଟକୁ ବ୍ୟାଙ୍କରେ ଜମା କରିବାକୁ ଲୋକଙ୍କୁ ନିବେଦନ କରିଛି ସେଣ୍ଟ୍ରାଲ ବ୍ୟାଙ୍କ୍ । ଏସବୁ ଭିତରେ ଚୀନରେ କରୋନା ଭାଇରସକୁ ରୋକିବାକୁ ଭାରତ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ଆଗାମୀ ସପ୍ତାହରେ ଔଷଧ ଭର୍ତ୍ତି ଏକ ବିମାନ ଚୀନକୁ ପଠାଇବ ଭାରତ ଓ ସେଠାରୁ ଫେରିବା ବେଳେ ବୁହାନ ବିମାନବନ୍ଦରରେ ଥିବା ଭାରତୀୟ ନାଗରିକଙ୍କୁ ମଧ୍ୟ ସାଥୀରେ ଆଣିବ ।