ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା । କହିଲେ ସର୍ବଣାନନ୍ଦ ହେବେ ମୋର ମାର୍ଗଦର୍ଶକ ।

176

କନକ ବ୍ୟୁରୋ: ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ରାଜ୍ୟପାଳ ଜଗଦୀସ୍ ମୁଖୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ମେଘାଳୟ ମୁଖ୍ୟମନ୍ତ୍ରୀ କେନରାଡ ସଂଗମା, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିଓ ରିୟାଙ୍କ ସହ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୱାଲ ବି ଉପସ୍ଥିତ ଥିଲେ ।

ଗୋହାଟୀ ଠାରେ ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ଭିଡ ଦେଖିବାକୁ ମିଳିଥିଲା । ବିଜେପି ନେତା ଓ ବିଭିନ୍ନ ରାଜ୍ୟରୁ ଆସିଥିବା ମୁଖ୍ୟମନ୍ତ୍ରୀ ମାନଙ୍କ ଗହଣରେ ପୂର୍ବ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ହିମନ୍ତ ବିଶ୍ୱଶର୍ମା ଶପଥ ନେଇଥିଲେ । ଶପଥ ଗ୍ରହଣ ପୂର୍ବରୁ ହିମନ୍ତ ଡୋଲ ଗୋବିନ୍ଦା ଓ କାମାକ୍ଷା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।

ହିମନ୍ତ ବିଶ୍ୱ ଶର୍ମା ଜଣେ ଓକିଲ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ କଂଗ୍ରେସ ରାଜନୀତିରେ ଯୋଗ ଦେଇ କଂଗ୍ରେସର ଆଗଧାଡିର ନେତା ଭାବେ ଗଣତି ହୋଇଥିଲେ । ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଅସହମତି ଯୋଗୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ୨୦୧୬ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରୁ ବିଧାୟକ ଭାବେ ଜିତି ସର୍ବଣାନନ୍ଦ ସୋନୱାଲ ମନ୍ତ୍ରୀମଣ୍ଡରେ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ସହ ଆସାମରେ ବିଜେପିକୁ ମଜଭୁତ କରିବାକୁ ପୁରା ଦମ୍ ଲଗାଇ ଦେଇଥିଲେ । ଚଳିତ ବିଧାନସଭା ନିର୍ବାଚନରେ ସେ ଦଳର ମଙ୍ଗ ଧରିଥିଲେ ।

ନିର୍ବାଚନାରେ ବିଜେପି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ରୀୟ ନେତୃ୍ତ୍ୱ ହିମନ୍ତଙ୍କ ନାମ ଉପରେ ମୋହର ମାରିଥିଲେ । ଆଜି ଶପଥଗ୍ରହଣ ଉତ୍ସବ ପରେ ହିମନ୍ତ କହିଛନ୍ତି କି ପୂର୍ବତନ ମୁଖ୍ୟମନ୍ତ୍ରୀ ସୋନୱାଲ ତାଙ୍କର ମାର୍ଗଦର୍ଶକ ଭାବେ କାମ କରିବେ । ଏହାସହ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବାରୁ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇବା ସହ ଦଳକୁ ବହୁମତ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ଆଗରେ ଏନଆରସି ଓ ରାଜ୍ୟର ବନ୍ୟା ପରିସ୍ଥିତିର ମୁକାବିଲା ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।