ହିମାଚଳ ପ୍ରଦେଶରେ ସ୍କୁଲ ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି! ଉଦ୍ଧାର କାର୍ଯ୍ୟ ଜାରି, ଚିକିତ୍ସା ପାଇଁ ୫୦ ଜଣିଆ ଡାକ୍ତରୀ ଟିମ ନିୟୋଜିତ

32

ହିମାଚଳ ପ୍ରଦେଶରେ ସ୍କୁଲବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୨୭ଜଣ ଛାତ୍ରଛାତ୍ରୀ ଥିବାବେଳେ ବସର ଡ୍ରାଇଭରଙ୍କ ସମେତ ୨ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଏକ ୫୦ ଜଣିଆ ଡାକ୍ତରୀ ଦଳଙ୍କୁ ଚିକିତ୍ସା ପାଇଁ ନିୟୋଜିତ କରାଯାଇଛି ।

ହିମାଚଳ କଂଗ୍ରା ଜିଲ୍ଲାର ନୁରପୁର ଅଂଚଳରେ ଏକ ଗଭୀର ଖାତକୁ ଖସିପଡିଥିଲା ଘରୋଇ ସ୍କୁଲ- ୱାଜିର ରାମସିଂ ପଠାନିଆର ବସ୍ । ଅଙ୍କବଙ୍କା ପାହାଡିଆ ରାସ୍ତାରେ ନିୟନ୍ତ୍ରଣ ହରାଇ ବସଟି ଖସିପଡିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ୨୦ଟି ମୃତଦେହ ଉଦ୍ଧାର କରିଛି । ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୧୦ ବର୍ଷରୁ କମ୍ ବୋଲି ଜଣାପଡିଛି ।

ମୋଟ ୪୨ ସିଟ୍ କ୍ଷମତା ବିଶିଷ୍ଟ ଏହି ସ୍କୁଲ ବସରେ ୪୦ଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ ଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଇରାମ ଠାକୁର । କେଉଁ ପରିସ୍ଥିତିରେ ବସଟି ଦୁର୍ଘଟଣାଗ୍ରସ୍ତ ହେଲା ତାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।