ରାଜ୍ୟସଭା ନିର୍ବାଚନରେ ବ୍ୟାପକ କ୍ରସଭୋଟିଂ । ସଙ୍କଟରେ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାର

145

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ବଡ ହଲଚଲ । ରାଜ୍ୟର କଂଗ୍ରେସ ସରକାର ପାଖରେ ବହୁମତ ନଥିବା ଦର୍ଶାଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳାଙ୍କୁ ଭେଟିଛନ୍ତି । କଂଗ୍ରେସର ବିଧାୟକ ତାଙ୍କ ସରକାର ସପକ୍ଷରେ ନଥିବା ଦର୍ଶାଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ଆଜି ହିମାଚଳ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବାକୁ ଥିବାବେଳେ ଏହା ପୂର୍ବରୁ ଡିଭିଜନ୍ ଭୋଟିଂର ଦାବି କରିଛି ବିଜେପି । ମଙ୍ଗଳବାର ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ବିଜୟ ହୋଇଛି । ଏହାପରେ କଂଗ୍ରେସ ସରକାରରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଛି । କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ଦଳର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀ ହାରି ଯାଇଛନ୍ତି । ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥାଇ ବି ବିଜୟ ହାତେଇ ନେଇଛି । କଂଗ୍ରେସର ୬ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି ।