ହିମାଚଳ କିନ୍ନୋରରେ ବଡ ଦୁର୍ଘଟଣା । ମାଟି ଅତଡା ଖସି ୯ ଜଣଙ୍କର ମୃତ୍ୟୁ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା

92

କନକ ବ୍ୟୁରୋ : ହିମାଚଳପ୍ରଦେଶ କିନ୍ନୋରରେ ବଡ ଦୁର୍ଘଟଣା ଘଟିଛି । ସାଗଲା –ଚିତ୍ରକୁଲ ଭୂସ୍କଳନ ଘଟିବା ଫଳରେ ପଥରଗୁଡିକ ଏକ ପୋଲ ଉପରେ ପଡିଥିଲା । ଏହି ସମୟରେ ପୋଲ ଉପରେ ଯାଉଥିବା ଏକ ଟେମ୍ପୋ ପୋଲ ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଲୋକ ଗୁରୁତର ହୋଇଛନ୍ତି । ଏହି ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ସୂଚନା ମୁତାବକ ଏହି ଦୁର୍ଘଟଣା ରବିବାର ଦିନ ୧.୩୦ ମିନିଟ୍ ସମୟରେ ଘଟିଛି । ପୋଲ ଉପରେ ଏକ ଟେମ୍ପୋରେ ୧୧ ଜଣ ଲୋକ ଯାଉଥିବା ବେଳେ ପାହାଡରୁ ବଡ ବଡ ପଥର ଖସି ପୋଲଟି ଭାଙ୍ଗିଯାଇଥିଲା । ଫଳରେ ଟେମ୍ପୋରେ ଥିବା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ସହାୟତା ସହ ଆହତମାନଙ୍କ ଚିକିତ୍ସାର ସମସ୍ତ ବନ୍ଦୋବସ୍ତ ସରକାରୀ ସ୍ତରରେ କରାଯାଇଛି । କୁହାଯାଇଛି କି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ପରିଚୟ ମିଳିପାରି ନାହିଁ ।

ସୂଚନା ଥାଉକି ମୌସୁମୀ ବର୍ଷା କାରଣରୁ ମହାରାଷ୍ଟ୍ର, କର୍ଣ୍ଣାଟକ , ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଅଧା ମହାରାଷ୍ଟ୍ରରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅନେକ ସ୍ଥାନରେ ମାଟି ଅତଡା ଖସି ବହୁ ଲୋକଙ୍କର ଜୀବନ ଯାଇଛି   । ଏହାସହ ବନ୍ୟାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିବାକୁ ବାୟୁସେନା, ସ୍ଥଳସେନା ସହ ରାଜ୍ୟମାନଙ୍କର ଉଦ୍ଧାରକାରୀ ଦଳ କାମରେ ଲାଗିଛନ୍ତି ।