କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗରେ କଂଗ୍ରେସରୁ ବହିସ୍କୃତ ହୋଇଥିବା ୬ ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ସୁଧୀର ଶର୍ମା, ରବି ଠାକୁର, ରାଜେନ୍ଦ୍ର ସିଂ ରାଣା, ଚୈତନ୍ୟ ଶର୍ମା ଦେବେନ୍ଦର ଭୁଟ୍ଟୋ ଓ ଇନ୍ଦର ଦତ ଲଖନପାଲ । ଏହାସହ ହିମାଚଳ ବିଧାନସଭାର ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସ୍ୱାଧୀନ ବିଧାୟକ ହୋସିଆର ସିଂ, କେଏଲ ଠାକୁର, ଓ ଆଶିଷ ଶର୍ମା ବିଜେପିରେ ଯୋଗ ଦେଇଛନ୍ତି ।

Advertisment

କଂଗ୍ରେସ ତରଫରୁ ଦଳର ୬ଜଣ ବିଧାୟକଙ୍କୁ ଦଳୀୟ ହ୍ୱିପ ଅବମାନନା ଅପରାଧରେ ଫେବୃଆରୀ ୨୯ ତାରିଖ ଦିନ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏହାପରେ ନିର୍ବାଚନ କମିଶନରଙ୍କ ତରଫରୁ ଏହି ୬ଟି ଆସନରେ ଉପ ନିର୍ବାଚନ କରିବାକୁ ଘୋଷଣା କରାଯାଇଥିଲା ।

ସେପଟେ ୩ ସ୍ୱାଧୀନ ବିଧାୟକ ଶୁକ୍ରବାର ଦିନ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏହି ୩ଟି ନିର୍ବାଚନ କ୍ଷେତ୍ରରେ ଉପ ନିର୍ବାଚନ ହେବା ନେଇ ମଧ୍ୟ ସମ୍ଭାବନା ରହିଛି । ହୋସିଆର ସିଂ କହିଛନ୍ତି କି, ଉପ ନିର୍ବାଚନରେ ସେମାନେ ବିଜେପି ଟିକେଟରୁ ପ୍ରାର୍ଥୀ ହେବେ ।

ଅନ୍ୟପଟେ କଂଗ୍ରେସର ୬ ବିଧାୟକ ବିଜେପିରେ ସାମିଲ ହେବା ପରେ ୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭାରେ କଂଗ୍ରେସ ପାଖରେ ୩୯ ରୁ ହ୍ରାସ ପାଇଁ ୩୩ ଜଣ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ ବିଜେପି ନିକଟରେ ୨୫ ଜଣ ବିଧାୟକ ରହିଛନ୍ତି । ଯଦି ଉପ ନିର୍ବାଚନରେ କଂଗ୍ରେସ ସେହି ୬ଟି ଆସନରେ ପରାଜିତ ହୁଏ ଓ ୩ ଜଣ ସ୍ୱାଧୀନ ବିଧାୟକ ପୁଣି ବିଜେପି ଟିକେଟରୁ ନିର୍ବାଚନ ଲଢି ବିଧାନସଭାକୁ ଆସନ୍ତି ତେବେ ବିଜେପି ପାଖରେ ୩୪ ବିଧାୟକଙ୍କ ସମର୍ଥନ ରହିବ ।