କନକ ବ୍ୟୁରୋ: ସମାନ ନାଗରିକ ସଂହିତାକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର୍ ଧରିଛି । ଶାସକ ଦଳ ଏହି ଆଇନ୍ ସପକ୍ଷରେ ଯୁକ୍ତି ବାଢୁଥିବାବେଳେ, ବିରୋଧୀମାନେ ଏହା ବିପକ୍ଷରେ ଯୁକ୍ତି ବାଢୁଛନ୍ତି । ତେବେ ଏହାରି ଭିତରେ ମୋଦୀ ସରକାରର ବିରୋଧୀ କୁହାଯାଉଥିବା ଆମ୍ ଆଦମୀ ପାର୍ଟି ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା କିନ୍ତୁ ଏହାକୁ ସମର୍ଥନ କରିଛନ୍ତି । ତେବେ ଖାଲି ସେତିକି ନୁହେଁ, ଖୋଦ୍ କଂଗ୍ରେସର ଦିଗଜ୍ଜ ନେତା ବିକ୍ରମାଦିତ୍ୟ ସିଂହ ପାର୍ଟି ସୀମାରେଖାରୁ ବାହାରକୁ ଆସି ଏହାକୁ ସମର୍ଥନ ଜଣାଇବା ଏବେ କଂଗ୍ରେସ ପାଇଁ ଅଡୁଆ ହେଇଛି ।

Advertisment

ହିମାଚଳ ପ୍ରଦେଶ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ବିକ୍ରମାଦିତ୍ୟ ସିଂହ ଶୁକ୍ରବାର ସମାନ ନାଗରିକ ସଂହିତାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସମାନ ନାଗରିକ ସଂହିତାକୁ ସେ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । ତେବେ ଏହି ବିଷୟ ଉପରେ ରାଜନୀତିକରଣ ହେବା କଥା ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ଏହି ମୁଦ୍ଦାର ଟାଇମିଂ ଉପରେ କିନ୍ତୁ ସେ ପ୍ରଶ୍ନ ଉଠାଇଛନ୍ତି । ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଏହି ମୁଦ୍ଦାକୁ ଜାଣିଶୁଣି ଉଠାଯାଉଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହଙ୍କ ପୁଅ ହେଉଛନ୍ତି ବିକ୍ରମାଦିତ୍ୟ ସିଂହ । ତାଙ୍କ ବାପା ଦିବଙ୍ଗତ ବୀରଭଦ୍ର ସିଂହ ହିମାଚଳ ପ୍ରଦେଶର ୬ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ହିମାଚଳ ପ୍ରଦେଶ ଭଳି ରାଜ୍ୟର ଜଣେ କଂଗ୍ରେସ ମନ୍ତ୍ରୀ ସମାନ ନାଗରିକ ସଂହିତାକୁ ସମର୍ଥନ ଜଣାଇବା ଏବେ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

କଂଗ୍ରେସର ଏହି ନେତା ଫେସବୁକରେ ପୋଷ୍ଟ ଲେଖି ସେୟାର କରିଛନ୍ତି ଯେ, ସମାନ ନାଗରିକ ସଂହିତାକୁ ଆମେ ପୂର୍ଣ୍ଣ ସମର୍ଥନ ଜଣାଉଛୁ । ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଏହା ଜରୁରୀ ଅଟେ । ଏହାକୁ ନେଇ କୌଣସି ପ୍ରକାର ରାଜନୀତିକରଣ ହେବା କଥା ଉଚିତ୍ ନୁହେଁ । ତେବେ କେନ୍ଦ୍ରରେ ୯ ବର୍ଷ କାଳ ସରକାରରେ ଥିଲେ ମଧ୍ୟ ଏନଡିଏ ସରକାର କାହିଁକି ଏହି ଆଇନ୍ ପୂର୍ବରୁ କରୁନଥିଲା ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।

କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୯ ବର୍ଷ ଧରି ଏନଡିଏର ପୂର୍ଣ୍ଣ ବହୁମତ ସରକାର ରହିଛି । ଏହି ଆଇନ୍ ଲାଗୁ କରିବାକୁ କିଏ ମନା କରୁଛି? ନିର୍ବାଚନକୁ କିଛି ମାସ ଥିବାବେଳେ, କାହିକି ଏପରି ପ୍ରୋପାଗଣ୍ଡା ଖେଳାଯାଉଛି ବୋଲି ପ୍ରଶ୍ନ କରିବା ସହିତ ନିଜ ପୋଷ୍ଟର ଶେଷରେ ଜୟ ଶ୍ରୀରାମ ଲେଖିଛନ୍ତି ଏହି କଂଗ୍ରେସ ନେତା ।

ଜାଣିରଖିବା ଉଚିତ୍ ଯେ, ସମାନ ନାଗରିକ ସଂହିତା ହେଉଛି ସବୁ ଧର୍ମ ପାଇଁ ସମାନ ଆଇନ୍ ବ୍ୟବସ୍ଥା । ସବୁ ଧର୍ମର ବ୍ୟକ୍ତିଗତ ଆଇନ୍ ରହିଛି । ଯେପରିକି ବିବାହ, ଛାଡପତ୍ର ଏବଂ ସମ୍ପତି ଭାଗବଣ୍ଟାକୁ ନେଇ ସବୁ ଧର୍ମରେ ଅଲଗା ଅଲଗା ନିୟମ ରହିଛି । ହେଲେ ଯଦି ଦେଶରେ ସମାନ ନାଗରିକ ସଂହିତା ଲାଗୁ କରାଯାଏ , ତେବେ ସବୁ ଧର୍ମ ପାଇଁ ସମାନ ଆଇନ୍ ରହିବ ।