୮୭ ବର୍ଷ ବୟସରେ ଆଖି ବୁଜିଲେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ : କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ବୀରଭଦ୍ର ସିଂହ

110

କନକ ବ୍ୟୁରୋ : ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ । ୮୭ ବର୍ଷ ବୟସରେ ଆଖି ବୁଜିଲେ ବୀରଭଦ୍ର ସିଂହ ।ସୂଚନା ଅନୁଯାୟୀ, ବୀରଭଦ୍ରଙ୍କ ସକାଳ ୩.୪୦ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ କରୋନାରେ ସଂକ୍ରମିତ ହେବା ପରେ  ଶିମଲା ସ୍ଥିତ ଆଇଜିଏମସିରେ ଚିକିତ୍ସିତ ହେଉଥିଲେ । ବରିଷ୍ଠ କଂଗ୍ରେସ ନେତାଙ୍କ ମୃତ୍ୟୁ କାରଣରୁ ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି । ତାଙ୍କୁ ପ୍ରାୟ ଅଢେଇ ମାସ ହେବ ଆଇଜିଏମସିରେ ଭର୍ତ୍ତି କରାଯାଇଥିଲା ।

ବୀରଭଦ୍ର ସିଂହ ଛଅ ଥର ହିମାଚଳର ମୁଖ୍ୟମନ୍ତ୍ରୀ ଥିଲେ । ୟୁପିଏ ସରକାରରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଥିଲେ । ସେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପରିଚାଳନା କରିଥିଲେ । ଏହା ବ୍ୟତୀତ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟ ରହିଥିଲେ । ବୀରଭଦ୍ର ସିଂହ ୨୩ ଜୁନ୍ ୧୯୩୪ରେ ଜନ୍ମଗ୍ରହଣ କରିଥିଲେ ।

ସେ ୧୯୮୩ ରୁ ୧୯୮୫ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ, ପରେ ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ, ୧୯୯୩ ରୁ ୧୯୯୮ ପର୍ଯ୍ୟନ୍ତ ତୃତୀୟ ଥର ପାଇଁ, ୧୯୯୮ ରେ ଚତୁର୍ଥ ଥର ପାଇଁ, ପରେ ୨୦୦୩ ରୁ ୨୦୦୭ ପର୍ଯ୍ୟନ୍ତ ପଞ୍ଚମ ଥର, ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୬୨, ୧୯୬୭, ୧୯୭୧, ୧୯୮୦ ଏବଂ ୨୦୦୯ ରେ ବୀରଭଦ୍ର ସିଂ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ସରକାରରେ ବୀରଭଦ୍ର ସିଂହ ଡିସେମ୍ବର ୧୯୭୬ ରୁ ୧୯୭୭ ପର୍ଯ୍ୟନ୍ତ କେନ୍ଦ୍ର ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ଦ୍ୱିତୀୟ ଥର ପାଇଁ ସେ ଇନ୍ଦିରା ସରକାରରେ ୧୯୮୨ ରୁ ୧୯୮୩ ପର୍ଯ୍ୟନ୍ତ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ଥିଲେ।

ଏହା ପରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଠାକୁର ରାମ ଲାଲଙ୍କ ସ୍ଥାନରେ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ସେବେଠାରୁ ସେ ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ । ତା’ପରେ ବୀରଭଦ୍ର ସିଂ ୨୮ ମେ ୨୦୦୯ ରୁ ୧୮ ଜାନୁୟାରୀ ୨୦୧୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।