ମାନବିକତାର ମହାମୃତ୍ୟୁ…ହିମାଚଳ ପ୍ରଦେଶରେ କେରଳ କାଣ୍ଡର ପୁନରାବୃତ୍ତି: ପାଶବିତାର ସୀମା ଚପିଲା ମଣିଷ…ହାତୀ ପରେ ଏବେ ଗର୍ଭବତୀ ଗାଈକୁ ଦେଲେ ବିସ୍ଫୋରକ ଖାଦ୍ୟ

3,311

କନକ ବ୍ୟୁରୋ: କରୋନା ସଂକଟ ଭିତରେ ମାନବିକତାର ମହାମୃତ୍ୟୁ । ହାତୀ ପରେ ଏବେ ଗର୍ଭବତୀ ଗାଈ ଖାଇଲା ବିସ୍ଫୋରକ ଖାଦ୍ୟ । କିଛି ଦିନ ତଳେ କେରଳର ମାଲାପୁରମରେ ଏକ ଗର୍ଭବତୀ ହାତୀ ବିସ୍ଫୋରକ ଭରା ସପୁରୀ ଖାଇ ମୃତ୍ୟୁ ହେବା ଖବର ଲୋକଙ୍କ ମନରୁ ନ ଲିଭୁଣୁ ଏବେ ପୁଣି ହିମାଚଳ ପ୍ରଦେଶରେ ଘଟିଛି ସମାନ ଘଟଣା ।  ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ଝଂଡୁତା ଅଂଚଳରେ ଏକ ଗର୍ଭବତୀ ଗାଈକୁ କେହି ବିସ୍ଫୋରକ ଖାଦ୍ୟ ଦେବାରୁ ତାକୁ ଖାଇ ଗର୍ଭବତୀ ଗାଈଟି ଗୁରୁତର ଭାବେ ଆହତ ହୋଇପଡିଛି ।

ତେବେ ଗାଈ ମାଲିକ  ଏ ସଂପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆର ପୋଷ୍ଟ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ  ଦ୍ରୁତ ଗତିରେ ଭାଇରାଲ ହେବାର ଲାଗିଛି ।  ପୁଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାର ଛାନ୍ ଭିନ ଆରମ୍ଭ କରିଦେଇଛି  ।

ଏହା ପୂର୍ବରୁ କେରଳରେ ମାଲାପୁରମରେ ଗୋଟିଏ ମାଈ ହାତୀ, ମଣିଷର ଷଡଯନ୍ତ୍ର ଯୋଗୁଁ କିଭଳି ପ୍ରାଣ ହରାଇଥିଲା ତାକୁ ନେଇ ସାରା ଭାରତରେ ଚର୍ଚ୍ଚା । ଜନବସତିକୁ ଚାଲି ଆସିଥିବା ହାତୀକୁ ପାନେ ଦେବା ପାଇଁ କିଛି ସ୍ଥାନୀୟ ବାସିନ୍ଦା ସପୁରୀ ଭିତରେ ବାଣ ରଖିଥିଲେ । ଆଉ ସେହି ସପୁରୀ ଖାଇବା ପରେ ହାତୀର ପାଟିରେ ହିଁ ବିସ୍ଫୋରଣ ହୋଇଗଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ହାତୀ ନଦୀ ଭିତରେ ସୁଣ୍ଢ ପୁରାଇ କଷ୍ଟ ଲାଖବ କରିବାକୁ ବହୁତ ଚେଷ୍ଟା କରିଥିଲା । ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ବନବିଭାଗ ଦୁଇଟି ପୋଷା ହାତୀ ଆଣି ଉଦ୍ୟମ କରିଥିଲା । ହେଲେ ହାତୀ ଆଉ ପାଣି ଭିତରୁ ବାହାରିନଥିଲା । ଆଉ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଲା । ପୋଷ୍ଟମର୍ଟ ପରେ ଜଣାପଡ଼ିଲା, ମାଈ ହାତୀଟି ଗର୍ଭବତୀ ଥିଲା ।