ହିମାଚଳ ରାଜନୈତିକ ଅସ୍ଥିରତା ଭିତରେ ଚିନ୍ତା ବଢ଼ାଇଲା ପ୍ରତିଭା ସିଂଙ୍କ ବୟାନ । ବିଜେପିକୁ ପ୍ରଶଂସା, ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସପକ୍ଷରେ ଯୁକ୍ତି

101

କନକ ବ୍ୟୁରୋ : ୩ଦିନର ଅସ୍ଥିରତା ପରେ ହିମାଚଳ ରାଜନୈତିକ ଶାନ୍ତ ପଡିଛି । ସରକାର ଭାଙ୍ଗିବା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା ତାହା ଟଳିଯାଇଛି । ଅନ୍ୟପଟେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂଙ୍କ ବୟାନ ପୁଣି ଥରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଜେପିର କାର୍ଯ୍ୟଶୈଳୀ କଂଗ୍ରେସଠୁ ଭଲ ଓ ଉନ୍ନତ ବୋଲି କହିଛନ୍ତି ପ୍ରତିଭା ସିଂ । ଏଥିସହ ସେ କହିଛନ୍ତି ଯଦିଓ ସେ ରାଜନୈତିକ କ୍ୟାରିୟରର ଆରମ୍ଭରୁ କଂଗ୍ରେସ ସହ ରହିଛନ୍ତି , କଂଗ୍ରେସ ବିଚାରଧାରା ତାଙ୍କ ବିଚାରଧାରା ଅଟେ ତଥାପି ଆଗାମୀ ଦିନରେ କ’ଣ ହେବ ସେକଥା କହିବା ଅସମ୍ଭବ । ଏଥିସହ ବିଜେପି ଓ ମୋଦୀଙ୍କ ପ୍ରଶଂସା କରିଛନ୍ତି ପ୍ରତିଭା ସିଂ । ଅନ୍ୟପଟେ କ୍ରସ ଭୋଟିଂ ପାଇଁ ଯେଉଁ ୬ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଘଟଣା ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ପ୍ରତିଭା ବିଧାୟକଙ୍କ ସମର୍ଥନରେ କହିଛନ୍ତି ଯେ ସରକାର ଗଠନକୁ ଗୋଟିଏ ବର୍ଷ ପୂରିଥିଲେ ବି ମୁଖ୍ୟମନ୍ତ୍ରୀ ତୃଣମୁଳସ୍ତରରେ ସମସ୍ୟା କେବେ ଆଲୋଚନା କରିନାହାଁନ୍ତି, ଅଭିଯୋଗ ଶୁଣିନାହାଁନ୍ତି । ତେଣୁ ବିଧାୟକମାନେ ରାଗିବା ସ୍ୱାଭାବିକ ଥିଲା । ଯଦି ସମୟ ଥାଉ ଥାଉ ଆଲୋଚନା କରାଯାଇଥାନ୍ତା ତେବେ କ୍ରସଭୋଟିଂ ଭଳି ସ୍ଥିତି ଉପଜିନଥାନ୍ତା । ସେପଟେ ବିଦ୍ରୋହୀ ବିଧାୟକଙ୍କୁ ଶୁକ୍ରବାର ଭେଟିଛନ୍ତି କ୍ୟାବିନେଟମନ୍ତ୍ରୀ ବିକ୍ରମାଦିତ୍ୟ ସିଂ । ଅନ୍ୟପଟେ ବାଚସ୍ପତିଙ୍କ ନିଷ୍ପତି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୬ଜଣ ଅଯୋଗ୍ୟ ଘୋଷିତ ବିଧାୟକ ।