କନକ ବ୍ୟୁରୋ : ହିମାଚଳ ପ୍ରଦେଶେରେ ବଡ ହଲଚଲ । ସଙ୍କଟରେ ସୁଖୱିନ୍ଦର ଶୁଖୁଙ୍କ ସରକାର । ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦରଙ୍କ ବିରୋଧରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବିଧାୟକଙ୍କୁ ପ୍ରତାଡ଼ିତ କରାଯାଉଥିବା, ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ବିକ୍ରମାଦିତ୍ୟ । ବିଧାୟକମାନଙ୍କୁ ଗୁରୁତ୍ୱ ଦିଆଯାଉ ନଥିବା ଏବଂ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ସମସ୍ୟାର ସମାଧାନ କରୁ ନଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ଅଭିଯୋଗ କରିଛନ୍ତି, ଯାହାଙ୍କ ନାମରେ କଂଗ୍ରେସ ହିମାଚଳରେ ସରକାର ଗଢିଲା, ତାଙ୍କୁ ହିଁ ଅଣଦେଖା କରାଯାଇଛି । ବୀରଭଦ୍ରଙ୍କ ଏକ ପ୍ରତିମୂର୍ତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ଜମି ଟିଏ ଦେଇନଥିବା କହି କାନ୍ଦି ପକାଇଛନ୍ତି ବିକ୍ରମାଦିତ୍ୟ । ଏନେଇ ସେ ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ମଧ୍ୟ କଥା ହୋଇଛନ୍ତି । ସେପଟେ ଗୃହରେ ବିପକ୍ଷ ବିଧାୟକଙ୍କ ହଙ୍ଗାମା ପାଇଁ ବଡ଼ ଆକ୍ସନ ନେଇଛନ୍ତି ବାଚସ୍ପତି । ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକଙ୍କୁ ବିଧାନସଭାରୁ ନିଷ୍କାସିତ କରାଯାଇଛି । ରାଜ୍ୟସଭା ନିର୍ବାଚନରେ ବହୁମତ ସତ୍ୱେ କଂଗ୍ରେସକୁ ମିଳିଛି ବଡ ଝଟ୍କା । ୯ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ମୁଖ୍ୟମନ୍ତ୍ରୀ ଶୁଖୱିନ୍ଦର ଶୁଖୁଙ୍କ ସରକାର ଏବେ ସମସ୍ୟାରେ ପଡି ଯାଇଛି । କଂଗ୍ରେସର ୬ ଜଣ ବିଧାୟକ ଓ ୩ ନିର୍ଦ୍ଦଳୀୟ ବିଧାୟକ କ୍ରସ୍ ଭୋଟିଂ ପାଇଁ ବିଜେପି ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନରେ ବାଜି ମାରି ନେଇଛନ୍ତି । ତେଣୁ ରାଜ୍ୟର କଂଗ୍ରେସ ସରକାର ପାଖରେ ବହୁମତ ନଥିବା ଦର୍ଶାଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପି ବିଧାୟକଙ୍କ ଏକ ଦଳ ରାଜ୍ୟପାଳଙ୍କୁ ଭେଟିବା ସହ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ, କଟ୍ ମୋସନ୍ ଏବଂ ବିତୀୟ ବିଲ୍ ଉପରେ ଡିଭିଜନ୍ ଭୋଟିଂର ଦାବି କରି ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ସେପଟେ ବିଦ୍ରୋହୀ ବିଧାୟକଙ୍କୁ ଦିନ ଗୋଟାଏ ସୁଦ୍ଧା କାରଣ ଦର୍ଶାଅ ନୋଟିସ୍ ପଠାଇଛି ରାଜ୍ୟ କଂଗ୍ରେସ ।