କନକ ବ୍ୟୁରୋ: ହିମାଚଳରେ ପୁଣି ଫେରୁଛି କଂଗ୍ରେସ ରାଜ୍ ! ବର୍ତ୍ତମାନର ଟ୍ରେଣ୍ଡକୁ ଲକ୍ଷ୍ୟ କଲେ କଂଗ୍ରେସ ହିମାଚଳ ପ୍ରଦେଶରେ ସରକାର ଗଢୁଥିବା  ଭଳି ମନେ ହେଉଛି । ୬୮ ବିଧାନସଭା ସିଟ୍ ବିଶିଷ୍ଟ ଏହି ରାଜ୍ୟରେ ସରକାର ଗଢିବାକୁ ୩୯ ବିଧାୟକ ଆବଶ୍ୟକ । ଯାହାକି ଏଥର ନିର୍ବାଚନରେ କଂଗ୍ରେସ ହାତେଇଲା ଭଳି ଅନୁମାନ କରାଯାଉଛି । ତେବେ ହିମାଚଳ ପ୍ରଦେଶରେ ଯଦି କଂଗ୍ରେସ ଜିତାପଟ ହାସଲ କରେ, ତେବେ କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

Advertisment

ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ କହିଛନ୍ତି ଯେ, ରାଜ୍ୟର କଂଗ୍ରେସ ବିଧାୟକ ହିଁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ବାଛିବେ । ବିଧାୟକମାନେ ନିଜର ପସନ୍ଦ ମୁତାବକ ମୁଖ୍ୟମନ୍ତ୍ରୀ ବାଛିବେ । କଂଗ୍ରେସ ଆଲାକମାଣ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ । ଅନ୍ୟପଟେ ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନତା ଆଗକୁ ବି ବୀରଭଦ୍ର ସିଂହଙ୍କ ପରିବାରକୁ ନେତୃତ୍ୱରେ ଦେଖିବାକୁ ଚାହୁଁଛନ୍ତି ।

ପ୍ରତିଭା ସିଂହ ହେଉଛନ୍ତି ବୀରଭଦ୍ର ସିଂହଙ୍କ ପତ୍ନୀ । ତେବେ ବୀରଭଦ୍ର ହେଉଛନ୍ତି ହିମାଚଳ ପ୍ରଦେଶର ୬ଥର ମୁଖ୍ୟମନ୍ତ୍ରୀ ରହିଥିବା ନେତା । ୧୯୯୮ ମସିହାରେ ପ୍ରତିଭା ସିଂହ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ଯେଉଁଠି ପ୍ରଥମ ଲୋକସଭା ନିର୍ବାଚନ ଲଢି ସେ ପରାଜିତ ହୋଇଥିଲେ । ତେବେ ୨୦୦୪ ଲୋକସଭା ନିର୍ବାଚନରେ ସେ ଦ୍ୱିତୀୟ ଥର ନିଜର ଭାଗ୍ୟ ପରୀକ୍ଷା କରିବା ସହ ନିର୍ବାଚନରେ ବିଜୟୀ ହୋଇଥିଲେ । ଗତ ଏପ୍ରିଲ ମାସରେ ହିଁ ସେ ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ ।

ମାତ୍ର ୬ ମାସ ଭିତରେ ହିଁ ପ୍ରତିଭା ସିଂହ ହିମାଚଳ ରାଜନୀତିରେ ନିଜର ପ୍ରତିଭା ଦେଖାଇଛନ୍ତି । କଂଗ୍ରେସ ନିର୍ବାଚନରେ ସଫଳତା ହାସଲ କରିବା ସହ ପୁଣିଥରେ ସତ୍ତାକୁ ଫେରିଛି ।