ବିହାର ପରେ ହିମାଚଳରେ ବିଷାକ୍ତ ମଦ ପିଇ ୭ ମୃତ, ଗୁରୁତର ଅବସ୍ଥାରେ ୧୨ ଜଣଙ୍କର ଚାଲିଛି ଚିକିତ୍ସା

94

କନକ ବ୍ୟୁରୋ : ବିଷାକ୍ତ ମଦ ପୁଣି ନେଇଛି ୭ ଜଣଙ୍କ ଜୀବନ । ଏଥର ବିହାର ନୁହେଁ ହିମାଚଳ ପ୍ରଦେଶରୁ ଆସିଛି ଏଭଳି ଖବର । ହିମାଚଳ ପ୍ରଦେଶର ମଣ୍ଡି ଠାରେ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇବା ପରେ ସ୍ଥାନୀୟ ସାଂସଦ ପ୍ରତିଭା ସିଂ ମେଡିକାଲରେ ପହଂଚି ସେମାନଙ୍କର ଅବସ୍ଥା ପଚାରି ବୁଝିଛନ୍ତି । ଏନେଇ ସାଂସଦ ଅଭିଯୋଗ କରିଛନ୍ତି କି ଚୋରା ମଦ କାରବାର ନେଇ ସେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଶଣ କରିଥିଲେ ବି ପ୍ରଶାସନ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ସୂଚନା ମୁତାବକ ମଣ୍ଡି ଜିଲ୍ଲାର ସଲାପଡ ଅଞ୍ଜଳରେ ବିଷାକ୍ତ ମଦ ପିଇବା କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଆହୁରି ୧୨ ଜଣ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ମାମଲାର ଯାଂଚ ପାଇଁ ଏସଆଇଟି ଗଠନ କରାଯାଇଛି ଓ ଅଭିଯୁକ୍ତମାନଙ୍କୁ ପୋଲିସ ହେପାଜତକୁ ନେଇଛି ।

ଏନେଇ ସ୍ଥାନୀୟ ସାଂସଦ ରାଜ୍ୟ ସରକାରଙ୍କ ଠାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ କହିଛନ୍ତି କି ଯୁବପୀଢିଙ୍କୁ ନିଶା କବଳରୁ ମୁକ୍ତ କରିବା ପାଇଁ ସରକାର ଆନ୍ତରିକତା ସହକାରେ କାର୍ଯ୍ୟ କରିବା ସହ ଆଇନ ଆଣିବାର ଆବଶ୍ୟକତା ରହିଛି ।