କନକ ବ୍ୟୁରୋ : ଗୋଟିଏ ପଟେ ଗୁଜରାଟରେ ଦିନକୁ ଦିନ ଆପର ପଲ୍ଲା ଭାରି ହେଉଥିବା ବେଳେ ଆଜି ହିମାଚଳରେ ଦଳକୁ ବଡ ଝଟକା ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶରେ ଦଳର ସହ ପ୍ରଭାରୀ କୁଲୱନ୍ତ ସିଂ ଭାଟ୍ଟ ଆଜି ସିମଲା ଠାରେ ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପି କାର୍ଯ୍ୟାଳୟରେ ଦଳର ପ୍ରଦେଶ ଅଧ୍ୟକ୍ଷ ସୁରେଶ କଶ୍ୟପ ଓ ରାଜ୍ୟ ପ୍ରଭାରୀ ଅବିନାଶ ରାୟ ଖାନ୍ନାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।
ଆଜି କୁଲୱନ୍ତ ଆପ୍ ଛାଡି ବିଜେପିରେ ଯୋଗ ଦେବା ପରେ ଗଣମାଧ୍ୟମ ଆଗରେ କହିଛନ୍ତି କି ଆମ୍ ଆଦମୀ ପାର୍ଟିର କହିବା ଓ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଯାହା ଫଳରେ ସେ ଦଳ ଛାଡି ଏବେ ବିଜେପିରେ ଯୋଗ ଦେଇଛନ୍ତି । ସେପଟେ ବିଜେପିକୁ ପ୍ରଶଂସା କରି କୁଲୱନ୍ତ କହିଛନ୍ତି ଯେ ବିଜେପି ଯାହା କହେ ତାହା କାମରେ କରି ଦେଖାଏ । ଏହା ସହ ଦିଲ୍ଲୀ ଓ ପଞ୍ଜାବ ଉଭୟ ଦୁଇଟି ରାଜ୍ୟରେ ସରକାର ଦୁର୍ନୀତିରେ ବୁଡି ରହିଥିବା କଥା ଅଭିଯୋଗ କରିଛନ୍ତି କୁଲୱନ୍ତ ।
କେବଳ ସେତିକି ନୁହେଁ କୁଲୱନ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ମାନ୍ ନିଜର ଲୋକପ୍ରିୟତା ବଜାୟ ରଖିବାକୁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ପଞ୍ଜାବ ସରକାରର ୨ ଜଣ ମନ୍ତ୍ରୀ ଆରମ୍ଭରୁ ଦୁର୍ନୀତିରେ ବୁଡି ରହିଛନ୍ତି ।
ସୂଚନା ଥାଉକି ହିମାଚଳ ପ୍ରଦେଶ ବିଧଶନସଭା ପାଇଁ ନଭେମ୍ବର ୧୨ ତାରିଖରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ ।