ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ବୟାନ, ପରାଜୟ ପାଇଁ ମହଙ୍ଗା ଦାୟୀ କହି କେନ୍ଦ୍ରକୁ ପରୋକ୍ଷରେ ଟାର୍ଗେଟ୍

263

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ଉପନିର୍ବାଚନରେ କ୍ଷମତାରେ ଥିବା ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଛି । ରାଜ୍ୟରେ ମଣ୍ଡି ଲୋକସଭା, ଓର୍ଫି, ଫତେହପୁର, ଜୁବ୍ୱଲ-କେଟଖାଇ ବିଧାନସଭା ଆସନରେ କଂଗ୍ରେସର ବିଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଏନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ ବୟାନ ଦେଇଛନ୍ତି ।

ଜୟରାମ ପରାଜୟ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଦେଶରେ ମହଙ୍ଗାମାଡ କାରଣରୁ ରାଜ୍ୟରେ ବିଜେପିକୁ ପରାଜୟ ମିଳିଛି । ତାଙ୍କର ଏଭଳି ବୟାନ ପରେ ବିଜେପିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେପଟେ ବିରୋଧୀଦଳମାନେ ବି ଆକ୍ରମଣାତ୍ମକ ହୋଇଛନ୍ତି । ହିମାଚଳ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା କହିଛନ୍ତି କି ସରକାର ଅର୍ଥବ୍ୟବସ୍ଥାକୁ ଧ୍ୱଂସ କରି ଜନତାଙ୍କ ପକେଟ କାଟୁଛି ।

ରାଜୀବ ଶୁକ୍ଳା ଆହୁରି କହିଛନ୍ତି କି, ସରକାରଙ୍କ ପାଖରେ ଦେଖାଇବାକୁ କିଛି ନାହିଁ , ସରକାର ଦେଖାଉଥିବା ଜିଡିପି ଆକଳନ ମିଥ୍ୟା ଅଟେ, ସେପଟେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସଦାମ ଏତେ ବଢିଛି ଯେ ଲୋକମାନେ ତ୍ରାହୀ ତ୍ରାହୀ ଡାକିଲେଣି । ଏହାକୁ ନେଇ ବିଜେପି ଉପରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି ଓ ତାର ପ୍ରତିଫଳନ ହିମାଚଳ ପ୍ରଦେଶ ଉପ ନିର୍ବାଚନରେ ଦେଖିବାକୁ ମଳିଛି ।

କହିରଖୁ କି ଜୟରାମ ଠାକୁର ନିଜ ଦଳ ଉପରେ ଏଭଳି ବୟାନ ଦେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ଏବେ ବିପଦରେ ପଡିପାରେ ବୋଲି ଅନୁମାନ କରାଯାଉଛି । ଗୋଟେପଟେ କେନ୍ଦ୍ର ସରକାର ବିରୋଧରେ ମନ୍ତବ୍ୟ ଓ ଅନ୍ୟପଟେ ନିଜ ଜିଲ୍ଲା ମଣ୍ଡିରେ ଦଳର ପରାଜୟ । ଏସବୁକୁ ନଜର କଲେ ଜୟରାମଙ୍କ ରାଜନୈତିକ ଭବିଷ୍ୟତ ଯେ ସଂକଟ ଭିତରକୁ ଠେଲି ହୋଇଯାଉଛି ତାହା ସ୍ପଷ୍ଟ ।

କହିରଖୁ କି ହିମାଚଳରେ ଗୋଟିଏ ଲୋକସଭା ଓ ୩ ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଲୋକସଭା ସହ ୩ ଟି ଯାକ ବିଧାନସଭାରେ କଂଗ୍ରେସ ବିଜୟୀ ହୋଇ ପୁଣିଥରେ ବିଜେପିକୁ ଦରଦାମ ନିୟନ୍ତ୍ରଣ ଉପରେ ଚିନ୍ତା କରିବାକୁ ବାଧ୍ୟ କରିଛି ।