କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ନଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ଭୋଟରଙ୍କୁ ଆକୃଷ୍ଟ କରିବାକୁ ୧୦ ଟି ପ୍ରତିଶ୍ରୁତି ଘୋଷଣା କରାଯାଇଛି । ବିଜୁଳି ରାଜନୀତିରୁ କ୍ଷମତାକୁ ଆସିଥିବା ଆମ୍ ଆଦମୀ ପାର୍ଟିର ପଦାଙ୍କ ଅନୁସରଣ କରିଛି କଂଗ୍ରେସ । ରାଜ୍ୟରେ ସରକାର ଗଠନ କଲେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ସହ ଦଳ ପକ୍ଷରୁ ୧୦ ଟି ଗ୍ୟାରେଣ୍ଟି ଦିଆଯାଇଛି ।

Advertisment

ସୂଚନା ମୁତାବକ ହିମାଚଳର ସିମଲା ଠାରେ ଆଜି ପହଂଚିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ତଥା ହିମାଚଳ ପ୍ରଦେଶର ନିର୍ବାଚନ ପର୍ଯ୍ୟବେକ୍ଷକ ଭୂପେଶ ସିଂ ବଘଲେ । ତାଙ୍କ ସହ କଂଗ୍ରେସ ନେତା ପ୍ରତାପ ସିଂ ବାଜବା, ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା, ପ୍ରଦେଶ ଅଧ୍ୟକ୍ଷ ପ୍ରତିଭା ସିଂ, ମୁକେଶ ଅଗ୍ନିହୋତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏଭଳି ଘୋଷଣା କରାଯାଇଛି ।

ଶିମଲାର ରାଜୀବ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ତରଫରୁ ପ୍ରତିଶ୍ରୁତି ପତ୍ର ଉନ୍ମୋଚନ କରାଯାଇଥିଲା । ଏଥିରେ ହିମାଚଳରେ କଂଗ୍ରେସ ସରକାର ଗଠନ ହେଲେ ରାଜ୍ୟର ସମସ୍ତ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ସ୍କ୍ିମ୍ ଲାଗୁ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ପ୍ରତିମାସ ୧୫ ଶହ ଟଙ୍କା ସହାୟତା ଦିଆଯିବ । ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ । କେବଳ ସେତିକି ନୁହେଁ କଂଗ୍ରେସ ସରକାର ଗଠନ ହେଲେ ରାଜ୍ୟର ୫ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦିଆଯିବ । ସବୁଠାରୁ ବଡକଥା ବଘଲେ କହିଛନ୍ତି କି ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ରାଜ୍ୟର ଫଳ ଚାଷୀମାନେ ସେମାନଙ୍କ ଦ୍ୱାରା ଅମଳ କରାଯାଉଥିବା ଫଳର ମୂଲ୍ୟ ନିଜେ ଚାଷୀ ନିର୍ଦ୍ଧାରଣ କରିବ ।