ପଥର ନଖସିବାକୁ ପାହାଡ ପୂଜା : ଅଘଟଣ ନଘଟିବାକୁ ପାହାଡକୁ ପୂଜା କରୁଛନ୍ତି ଲୋକେ ; ଉମରକୋଟ ବ୍ଲକ ଗାଲିଭଟ୍ଟା ଗାଁରୁ ଆସିଲା ଚିତ୍ର

231

କନକ ବ୍ୟୁରୋ : ପାହାଡରୁ ଖସିଲା ପଥର । ଏପରି ଅଘଟଣ ନଘଟିବାକୁ ପାହାଡକୁ ପୂଜା କରୁଛନ୍ତି ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବ୍ଲକ୍ ଗାଲିଭଟ୍ଟା ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଗୋଟିଏ ବଡ ପଥରକୁ ଚାଲିଛି ପୂଜ।। ନବରଙ୍ଗପୁର ଉମରକୋଟ୍ ବ୍ଲକରେ ରହିଛି ଏହି ଐତିହାସିକ ପୋଡଗଡ ପାହାଡ । କିଛି ଦିନ ତଳେ ଏକ ବିରାଟ ପଥର ପ୍ରାୟ ଏକ କିଲୋମିଟର ବାଟ ଖସି ଆସିଥିଲା । ଏହା ପ୍ରାକୃତିକ କାରଣରୁ ହୋଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢି ଯାଇଛି ।

ଏବେ ପାହାଡରୁ ଆଉ ପଥର ନଖସିବା ପାଇଁ ଲୋକେ ଏବେ ପୋଡାଗଡ ପାହାଡକୁ ପୂଜା କରିଛନ୍ତି । ଆଖପାଖ ଗାଁର ଲୋକେ ପାହାଡ ନିକଟକୁ ଆସି ଏହାକୁ ଦେଖିବା ସହ ପୂଜା କରୁଥିବା ଦେଖିବାକୁ ମିଳିଛି । ଛତିଶଗଡରୁ ମଧ୍ୟ ଲୋକେ ଆସି ଏଠାରେ ପୂଜା କରୁଥିବା ଦେଖିବାକୁ ମିଳିଛି । ସାଧାରଣତଃ ଆଦିବାସୀ ଲୋକ ପ୍ରକୃତିର ଉପାସକ । ଗଛ, ପାଣି, ପାହାଡକୁ ବି ଏମାନେ ପୂଜା କରିଥାନ୍ତି । ଏବେ କରୋନା କାଳରେ ଏହି ପାହାଡ ପୂଜା ସମୟରେ କରୋନା କଟକଣାକୁ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।

ଐତିହାସିକ ଦାବି କରନ୍ତି ନଳବଂଶ ରାଜା ଶାସନ କରିବା ସମୟରେ ଏହା ରାଜଧାନୀ ଥିଲା । ଏହି ପୋଡାଗଡ ପାହାଡର ବିଭିନ୍ନ ସ୍ଥାନରେ ପୁରୁଣା ଦୁର୍ଗ, ମନ୍ଦିର ଏବଂ ମୂର୍ତି ଦେଖିବାକୁ ମିଳିଥାଏ । ଏହି କାରଣରୁ ଏହି ଅଂଚଳକୁ ନେଇ ଜନମାନସରେ ଏକ ଭାବାବେଗ ରହି ଆସିଛି । ତେବେ ଏଥର ପାହାଡରୁ ପଥର ନଖସିବାକୁ ୨୧ ଦିନ ଧରି ପୂଜା ପରେ ଯଜ୍ଞ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ।