କନକ ବ୍ୟୁରୋ : ଆଫଗାନିସ୍ତାନରେ ମହଙ୍ଗା ମାଡ ଚରମସୀମାରେ ପହଞ୍ଚିଛି । ଲକ୍ଷାଧିକ ଲୋକ କ୍ଷୁଧା ସଙ୍କଟ ଦେଇ ଗତି କରୁଛନ୍ତି । ଖାଦ୍ୟର ଦରଦାମ୍ ଅହେତୁକ ବୃଦ୍ଧି ଯୋଗୁ ଲୋକେ ଖାଦ୍ୟ ସାମଗ୍ରୀ କିଣିବା କଷ୍ଟକର ହୋଇପଡ଼ୁଛି । ଗୋଟିଏ ବ୍ୟାଗ୍ ଅଟା ୨୪ ଶହ ଆଫଗାନୀ ଟଙ୍କାରେ ମିଳୁଛି । ଗୋଟିଏ ବ୍ୟାଗ୍ ଚାଉଳ ୨୭ ଶହ ଆଫଗାନୀ ଟଙ୍କାରେ ବିକ୍ରି ହେଉଛି ।

Advertisment

ସେହିପରି ୧୬ ଲିଟର ତେଲ ବୋତଲ ୨୮ ଶହ ଆଫଗାନୀ ଟଙ୍କାରେ କିଣିବାକୁ ପଡୁଛି । ଆଫଗାନିସ୍ତାନର ଜଣେ ଦୋକାନ ମାଲିକ ସୈଫୁଲ୍ଲା କହିଛନ୍ତି, ଆଫଗାନ ଟଙ୍କା ତୁଳନାରେ ଡଲାର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ହୋଇଛି । ସେ କହିଛନ୍ତି, ସାମଗ୍ରୀ ଡଲାରରେ କିଣା ହେଉଛି ଓ ଆଫଗାନ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ଯୋଗୁ ଆଫଗାନିସ୍ତାନର ସାଧାରଣ ନାଗରିକ ଖାଦ୍ୟ ସାମଗ୍ରୀ କିଣିବାରେ ଅସମର୍ଥ ହେଉଛନ୍ତି । ଜଣେ ଶ୍ରମିକ ଦିନକୁ ୧୦୦ରୁ ୧୫୦ ଆଫଗାନୀ ଟଙ୍କା ରୋଜଗାର କରୁଛନ୍ତି । ଏହି ଅର୍ଥରେ ଖାଦ୍ୟ ସାମଗ୍ରୀ କିଣିବା ବେଶ୍ କଷ୍ଟକର ହୋଇପଡୁଛି । ତାଲିବାନ ସରକାରର କୃଷି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ସାମଗ୍ରୀ ବାହାରୁ ଆସୁଛି, ତାର ଦାମ୍ ଅଧିକ ରହୁଛି । ହେଲେ ଦେଶୀ ସାମଗ୍ରୀ ଦର କମ୍ ରହିଛି ।