ପିଆଜର ଭାଉ ଦେଖ… । କାଲି ୫୦, ଆଜି ୬୦ । ଚାଷୀ ୬ ଟଙ୍କାରେ ବିକ୍ରି କରିଥିଲେ, ଏବେ ୬୦ ଟଙ୍କାରେ କିଣୁଛନ୍ତି ।

594

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା । ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ପିଆଜ ଦର । ପିଆଜ କିଲୋକୁ ଏବେ ୬୦ ଟଙ୍କା । ବଡ କଥା ହେଉଛି, ଏହି ଚଢା ଦର ଖାଲି ରାଜଧାନୀରେ ନାହିଁ ବରଂ ଗାଁ ଗାଁରେ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପିଆଜ କିଲୋ ପିଛା ୫୦ ଉପରେ ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର । ବଲାଙ୍ଗୀରର କଣ୍ଟାବାଞ୍ଝିରେ କିଛି ଦିନ ତଳେ ଚାଷୀ, ପିଆଜ କିଲୋ ପିଛା ୬ ଟଙ୍କାରେ ବିକ୍ରି କରିଥିଲା , ଏବେ ସେହି ପିଆଜକୁ ୬୦ ଟଙ୍କାରେ କିଣୁଛି ।

ରାତି ପାହିଲେ ଦର ବଢୁଛି । କାଲି ୫୦ ଥିଲା, ଆଜି ୬୦ ଛୁଇଁଛି । ଆଶା କରାଯାଉଥିଲା , ନୂଆ ପିଆଜ ଆସିଲେ ଦର କମିବ । ହେଲେ ଦର ବଢି ବଢି ଚାଲିଛି । ସାରା ରାଜ୍ୟରେ ପିଆଜ କିଲେ ପିଛା ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ଖାଉଟିଙ୍କ ଉପରେ ବର୍ଦ୍ଧିତ ମାଡ ବଢି ଚାଲିଥିବା ବେଳେ ପିଆଜ ଦର ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।

ବଜାରକୁ ଆବଶ୍ୟକତାଠାରୁ କମ୍ ପିଆଜ ଆସୁଛି । ଅନେକ ସ୍ଥାନରେ ପିଆଜର ମାନ ଭଲ ରହୁନି । ତଥାପି ଦର ଚଢା ରହିଛି । ଫଳରେ ଗ୍ରାହକ ବି ପିଆଜ କିଣିବା କମାଇଦେଇଛନ୍ତି । ଏସବୁ ଭିତରେ କିଛି ଦିନ ପୂର୍ବରୁ ପିଆଜ ବସ୍ତାକୁ ୩ଶହ ଟଙ୍କାରେ ବିକ୍ରି କରିଥିଲେ ବଲାଙ୍ଗୀର କଣ୍ଟାବାଞ୍ଝିର ଚାଷୀ । ଅର୍ଥାତ୍ କିଲୋ ପିଆଜକୁ ୬ଟଙ୍କା । ଏବେ ସ୍ଥିତି ଏମିତି ହୋଇଛି ଯେ, ସେହି ପିଆଜକୁ ୬୦ ଟଙ୍କାରେ କିଣୁଛି ଚାଷୀ । ଜିଲ୍ଲାରେ ଶୀତଳ ଭଣ୍ଡାର ଥିଲେ ପିଆଜ ସାଇତି ରଖାଯାଇ ପାରିଥାନ୍ତା ଏବଂ ବର୍ତମାନ ଖାଉଟିଙ୍କୁ ଶସ୍ତାରେ ମିଳିଥାନ୍ତା ବୋଲି ଯୁକ୍ତି ବାଢିଛନ୍ତି ଚାଷୀ ।

ମହାରାଷ୍ଟ୍ରର ନାସିକରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ପିଆଜ ଉତ୍ପାଦନକୁ ବିଶେଷ ଭାବେ ପ୍ରଭାବିତ କରିଛି । ଏଥିସହ ନୂଆ ଟ୍ରାଫିକ କଟକଣା ଯୋଗୁଁ ପିଆଜ ଆମଦାନୀ ବି କମିଛି । ଯାହାର ପ୍ରଭାବ ପଡିଛି ପିଆଜ ଦର ଉପରେ ।