ଏୟାର ଇଣ୍ଡିଆ ବିମାନ ଅପହରଣ କରିବାକୁ ଆତଙ୍କବାଦୀଙ୍କ ଧମକ ! ପୁରା ଦେଶରେ ଜାରି ହେଲା ହାଇ ଆଲର୍ଟ ।

ମୁମ୍ବାଇରେ ଥିବା ଏକ ଏୟାରଲାଇନ୍ସର ଅଫିସକୁ ଏକ ଫୋନ କରି ଏହି ଧମକ ଦିଆଯାଇଛି ।

397

ପୁଲୱାମା ଆକ୍ରମଣ ୧ ସପ୍ତାହ ବିତିଯାଇଥିଲେ ବି ଦେଶବାସୀଙ୍କ ମନରୁ ଏହି ଘଟଣାର ଛାପ ଲିଭିପାରିନି । ଏଥି ସବୁ ମଧ୍ୟରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମସ୍ତ ବିମାନବନ୍ଦର ମାନଙ୍କରେ ହାଇ ଆଲର୍ଟ ଜାରି କରାଯାଇଛି । ଏହା ସହ ବିମାନବନ୍ଦରକୁ ଆସୁଥିବା ପ୍ରତିଟି ଗାଡିକୁ କଡାକଡି ଭାବେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁମ୍ବାଇର ଏୟାର ଇଣ୍ଡିଆର କଣ୍ଟ୍ରୋଲ ରୁମରେ ପାକିସ୍ତାନ ଯାଉଥିବା ଏକ ବିମାନକୁ ଅପହରଣ କରିବାର ଧମକ ଆସିବା ପରେ ଏହି ହାଇ ଆଲର୍ଟ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ମୁମ୍ବାଇରେ ଥିବା ଏକ ଏୟାରଲାଇନ୍ସର ଅଫିସକୁ ଏକ ଫୋନ କରି ଏହି ଧମକ ଦିଆଯାଇଛି । ଇଣ୍ଡିଆନ ଏୟାରଲାଇନ୍ସ (ଏୟାର ଇଣ୍ଡିଆର ପୂର୍ବତନ ଏକ ଶାଖା କମ୍ପାନି ଯାହାକି କେବଳ ଦେଶମଧ୍ୟରେ ସେବା ଯୋଗାଉଥିଲା )ର ଏକ ବିମାନକୁ ହାଇଜାକ କରି ପାକିସ୍ତାନ ନିଆଯିବ ବୋଲି କେହି ଜଣେ ଧମକ ଦେଇଛି । ପୁଲିସ ଏ ସଂପର୍କରେ ତଦନ୍ତ ଚଳାଇଥିବାବେଳେ ଏୟାରପୋର୍ଟ ଗୁଡ଼ିକର ସୁରକ୍ଷାକୁ ବଢାଇଦିଆଯାଇଛି । ସିଆଇଏସଏଫକୁ ସତର୍କ ରହିବାକୁ କୁହାଯାଇଛି । ବିମାନ ସେବା ପରିଚାଳନା ପାଇଁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ପକ୍ଷରୁ କେତେକ ସତର୍କତା ଗାଇଡଲାଇନ ଜାରି କରାଯାଇଛି । ବିମାନ ନିକଟକୁ ଯାଉଥିବା ବ୍ୟକ୍ତି, ଯାତ୍ରୀ, କାର୍ଗୋ ଗାଡି ଆଦିର ସବିଶେଷ ଯାଞ୍ଚ କରିବାକୁ କୁହାଯାଇଛି । ୧୯୯୯ ମସିହା ଡିସେମ୍ବର ମାସରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରି କାନ୍ଦାହାର ନେଇଯାଇଥିଲେ । ଏହାଫଳରେ ଭାରତ ସରକାରଙ୍କୁ ଯାତ୍ରୀଙ୍କ ମୁଣ୍ଡଜାମିନ ବଦଳରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାରକୁ ଛାଡିବାକୁ ପଡିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି ।