କନକ ବ୍ୟୁରୋ : ଦେଶରେ ଏବେ ହିଜାବ ବିବାଦ ଉଗ୍ରରୂପ ନେବାରେ ଲାଗିଛି । କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ସାରା ଦେଶରେ ଅଶାନ୍ତିର ବାତବରଣ ସୃଷ୍ଟି କରିଛି । ଶିକ୍ଷାନୁଷ୍ଠାନର ଏହି ବିବାଦ ଏବେ ରାଜନୀତିର ରଙ୍ଗରେ ପୁରା ପ୍ରସ୍ପୁଟିତ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି କ୍ରମରେ ବଲିଉଡ ବି ପଛରେ ପଡିନି । ବଲିଉଡର ଚର୍ଚ୍ଚିତ ଚେହେରାମାନେ ଏବେ ହିଜାବକୁ ନେଇ ନିଜ ନିଜର ମତ ରଖିବାରେ ଲାଗିଛନ୍ତି । ବଲିଉଡର ପରିଚିତ ନାୟିକା ତଥା ଅନିଲ କପୁରଙ୍କ କନ୍ୟା ସୋନମ କପୁର କହିଛନ୍ତି କି ଯଦି ଦେଶରେ ପଗଡିକୁ ବିକଳ୍ପ ଭାବେ ବ୍ୟବହାର କରାଯାଇ ପାରୁଛି ତେବେ ହିଜାବକୁ ନେଇ ଏତେ ବିବାଦ କାହିଁକି ?

Advertisment

କେବଳ ସୋନମ କପୁର ନୁହଁନ୍ତି ଏହା ପୂର୍ବରୁ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ ବି ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ଯଦି ସାହସ ଦେଖାଇବାର ଅଛି ତେବେ ଆଫଗାନିସ୍ତାନରେ ବିନା ବୁର୍ଖାରେ ବୁଲି ଦେଖାଅ, ଓ ନିଜକୁ ପିଞ୍ଜରାରୁ ମୁକ୍ତ କରିବା ଶିଖ ବୋଲି ସେ କହିଥିଲେ ।

ଅନ୍ୟପଟେ ବଲିଉଡର ଖ୍ୟାତନାମା ସଂଗୀତକାର ଜାଭେଦ ଅଖତର ବି ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ମୁଁ କେବେ ହିଜାବ ସପକ୍ଷରେ ନୁହେଁ କିନ୍ତୁ ଯେଭଳି ଭାବେ କିଛି ଛାତ୍ରୀଙ୍କୁ ଏନେଇ ଭୟଭିତ କରାଗଲା ସେଭଳି ଗୁଣ୍ଡାରାଜକୁ ମୁଁ ନିନ୍ଦା କରୁଛି । ଏହାକୁ ପୁରୁଷ ପଣିଆ କୁହାଯାଏ ନାହିଁ ବୋଲି ଅଖତାର ନିଜ ଟ୍ୱିଟରେ ଲେଖିଛନ୍ତି ।

କର୍ଣ୍ଣାଟକର ଓଡୁପି କଲେଜରୁ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ହିଜାବ ପିନ୍ଧି କଲେଜ ଆସୁଥିବା କିଛି ଛାତ୍ରୀଙ୍କୁ ଅନ୍ୟ କିଛି ଛାତ୍ର ଜୟ ଶ୍ରୀରାମ ନାରା ଦେବା ସହ ସେମାନଙ୍କ କଲେଜ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ । ଏନେଇ ଛାତ୍ରୀମାନେ କଲେଜ ଭିତରକୁ ଜୋର ଜବରଦସ୍ତ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଏହି ନିଆଁ ସାରା ଦେଶକୁ ବ୍ୟାପିବାରେ ଲାଗିଛି ।