କନକ ବ୍ୟୁରୋ: କର୍ଣ୍ଣାଟକରେ ହିଜାବକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବା ବଦଳରେ ବଢ଼ିଚାଲିଛି  । ରାଜ୍ୟରେ ବୁଧବାର ଠାରୁ କଲେଜ ଖୋଲିଥିବା ବେଳେ ମୁସଲିମ୍ ଛାତ୍ରୀମାନଙ୍କ ଯୋଗଦାନ ନେଇ ଏବେ ବି ବିବାଦ ଚାଲିଛି  । ସେମାନଙ୍କ ମଧ୍ୟରୁ ଅନେକ କ୍ଲାସ ନକରି ଫେରିଯାଇଛନ୍ତି  । ଶ୍ରେଣୀଗୃହରେ ବସିବାକୁ ହେଲେ, ହିଜାବ ଓ ବୁର୍ଖା ବାହାର କରିବାକୁ ପଡ଼ିବ ବୋଲି କୁହାଯିବା ପରେ, ଏହି ଛାତ୍ରୀମାନେ ଫେରିଯାଇଛନ୍ତି । ସିଭମୋଗାରେ ୪୫ ଜଣ ମୁସଲିମ୍ ଛାତ୍ରୀ କ୍ଲାସ ନକରି ଫେରିଛନ୍ତି ।  କୋଡାଗୁ, ବେଲଗାଭି ଓ ଉଡୁପିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି  । କୋଡ଼ାଗୁରେ ୪୦ ଜଣ ଛାତ୍ରୀ ଫେରିଯାଇଛନ୍ତି । ରାଜ୍ୟର ବିଭିନ୍ନ ଜାଗାରେ ହିଜାବ ପ୍ରସଙ୍ଗରେ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି ।

Advertisment

ସେପଟେ କର୍ଣ୍ଣାଟକ ପରେ ଆନ୍ଧ୍ରପ୍ରଦେଶରୁ ହିଜାବ ବିବାଦ ସାମ୍ନାକୁ ଆସିଛି  । ବିଜୟୱାଡ଼ା ଲୟୋଲା କଲେଜରେ ୨ ଜଣ ମୁସଲିମ୍ ଛାତ୍ରୀଙ୍କୁ ହିଜାବ ବାହାର ନକରିବାକୁ ଶ୍ରେଣୀରେ ପଶିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି  ।  ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଛାତ୍ରୀ ଦୁଇଜଣ ଶ୍ରେଣୀରେ ପାଠପଢ଼ାରେ ଯୋଗଦେଇଛନ୍ତି  ।

ବିବାଦ ପ୍ରଥମେ ଉଡୁପିରୁ ଆରମ୍ଭ ହୋଇଥିଲା  । ହିଜାବ ପିନ୍ଧି ମୁସଲିମ୍ ଛାତ୍ରୀ କଲେଜ ଆସିଥିବା ବେଳେ ହିଜାବ ବାହାର କରିବାକୁ କଲେଜ କର୍ତ୍ତୃପକ୍ଷ କହିଥିଲେ  । ଅନ୍ୟପଟେ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦର ଶୁଣାଣି ଜାରି ରହିଛି । ହାଇକୋର୍ଟର ମୁଖ୍ୟ ବିଚାରପତି ରିତୁରାଜ ଅୱସ୍ଥିଙ୍କ ନେତୃତ୍ୱରେ ଥିବା ବରିଷ୍ଠ ଖଣ୍ଡପୀଠ ଶୁକ୍ରବାର ପୁଣି ଏହି ମାମଲାର ଶୁଣାଣି କରିବେ  । ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ ଲଗାଇ ସାରିଛନ୍ତି ପୂର୍ବର ଖଣ୍ଡପୀଠ ।