ଏନଏଚରେ ବି ମିଳିବନି ନିସ୍ତାର: କେହି ନାହାନ୍ତି ଭାବି ଯଦି ନିୟମ ଭାଙ୍ଗୁଛନ୍ତି ତାହାଲେ ସାବଧାନ । କାରଣ ରାସ୍ତାରେ ଜଗିଛି ସିସିଟିଭି

831

କନକ ବ୍ୟୁରୋ: ଏନଏଚରେ ଲାଗିବ ସିସିଟିଭି । ଜାତୀୟ ରାଜପଥକୁ ଜଗିବ ସିସିଟିଭି କ୍ୟାମେରା । କେବଳ ସହରର ରାସ୍ତା ଉପରେ ନୁହେଁ ଏଣିକି ରାଜ ରାସ୍ତାରେ ବି ଲାଗିବ ସିସିଟିଭି । ଏନଏଚ ଉପରେ ବଢୁଥିବା ଦୁର୍ଘଟଣାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସିସିଟିଭି ଲାଗିବା ନେଇ ସୂଚନା ଦେଇଛନ୍ତି ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ଆନ୍ଧ୍ର-ପଲସା ଏନଏଚରୁ ଏହି କାମ ଆରମ୍ଭ ହେବ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ । ତେବେ ଖାଲି ଜାତୀୟ ରାଜପଥ ନୁହେଁ ରାଜ୍ୟ ରାଜପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବି ସିସିଟିଭି ଲାଗିବ ।

ଏନଏଚ ଉପରେ ଅନେକ ଲୋକ ବିନା ହେଲମେଟ, ବିନା ସିଟବେଲ୍ଟରେ ଗାଡି ଚଳାଉଛନ୍ତି । ଜାତୀୟ ରାଜପଥରେ ଜଗିବାକୁ କେହି ନଥିବାରୁ ଲୋକଙ୍କ ଟ୍ରାଫିକ ଭୟ ରହୁନି । ତେଣୁ ସହର ଭିତରେ ଯେଉଁ ଲୋକ ହେଲମେଟ ପିନ୍ଧିଥିବେ କିମ୍ବା ନିୟମ ମାନୁଥିବେ ସେମାନେ ଏନଏଚ ଉପରକୁ ଉଠିଗଲେ ମୁଣ୍ଡରୁ ହେଲମେଟ କାଢି ଗାଡି ଚଲାଉଥିବା ଦେଖିବାକୁ ମିଳୁଛି । ଅନେକ ଚାଳକ ବି ମୋବାଇଲରେ ଗପି ଗପି ଡ୍ରାଇଭିଂ କରୁଥିବା ନଜିର ରହିଛି । ଜାତୀୟ ରାଜପଥ ଉପରେ ଟ୍ରାଫିକ ପୋଲିସ ଅଟକାଇବାର ଭୟ ନଥିବାରୁ ନିୟମ ମାନୁ ନାହାନ୍ତି ଲୋକେ । ଯେଉଁଥିପାଇଁ ଦୁର୍ଘଟଣା ବଢି ବଢି ଚାଲୁଛି ।

ତେଣୁ ଜାତୀୟ ରାଜପଥ ଉପରେ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏନଏଚରେ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଇଛି ।