ହାଇୱେ ପେଟ୍ରୋଲିଂ ସେବାକୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଗଞ୍ଜାମର ଏନ୍‌ଏଚ୍‌-୧୬ରେ ନଜର ରଖିବ ୪ ଗାଡ଼ି

ହାଇୱେ ପେଟ୍ରୋଲିଂ ସେବାକୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଗଞ୍ଜାମର ଏନ୍‌ଏଚ୍‌-୧୬ରେ ନଜର ରଖିବ ୪ ଗାଡ଼ି

କନକ ବ୍ୟୁରୋ : ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା, ଧନଜୀବନ ରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରେ ଦୁର୍ଘଟଣା ଘଟିଲେ ଆହତଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସତର୍କ ନଜର ରଖିବା ବ୍ୟବସ୍ଥା ହୋଇଛି । ଦୁର୍ଘଟଣା ଓ ଏଥି ଜନିତ ମୃତ୍ୟୁ ହ୍ରାସ ଏହାର ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ଛତିଶଗଡ଼ ସୀମାନ୍ତରୁ ଓଡିଶା ରାଜ୍ୟ ଶେଷ ସୀମାନ୍ତର ୧୮ ଜିଲ୍ଲାର ଜାତୀୟ ଓ ରାଜ୍ୟ ରାଜପଥ ଗୁଡ଼ିକ ପାଇଁ ୩୬ଟି ହାଇଓ୍ବେ ପାଟ୍ରୋଲିଂ ଗାଡ଼ିକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୩୬ଟି ହାଇଓ୍ବେ ପାଟ୍ରୋଲିଂ ଗାଡ଼ି ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅଧୀନରେ ୪ଟି ପାଟ୍ରୋଲିଂ ଗାଡ଼ି ରହିଛି । ଗଞ୍ଜାମ ଜିଲ୍ଲାରେ ଖୋର୍ଦ୍ଧା-ଗଞ୍ଜାମ ସୀମାନ୍ତ ଠାରୁ ରମ୍ଭା, ରମ୍ଭା–ଛତ୍ରପୁର, ଛତ୍ରପୁର-ମାଣ୍ଡିଆପଲ୍ଲି ଏବଂ ଗୋପାଳପୁର- ଗିରିସୋଲା ଜାତୀୟ ରାଜପଥରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ଏହି ୪ ଟି ଗାଡ଼ି ନିୟୋଜିତ ହୋଇଛି ।

ଗଞ୍ଜାମ ପୁଲିସ ଜିଲ୍ଲାର ୩ଟି ପାଟ୍ରୋଲି ଗାଡ଼ିରେ ଡ୍ୟୁଟି ଲାଗି ୧୦ ଜଣ ଅଫିସର ଏବଂ ୧୮ ଜଣ ହୋମଗାର୍ଡ଼ଙ୍କୁ ନିୟୋଜିତ କରାଯାଇଛି ବୋଲି ଗଞ୍ଜାମ ଏସ୍‌.ପି. ବ୍ରିଜେଶ୍ କୁମାର ରାଏ କହିଛନ୍ତି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୁଲିସ ରିଜର୍ଭ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍‌.ପି. ଶ୍ରୀ ରାଏଙ୍କ ସମେତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଗଞ୍ଜାମ ଆର୍‌ଟିଓ ବିକାଶ ଚନ୍ଦ୍ର ଚୌଧୂରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଓ ବିଜୟ କୁମାର ମଲ୍ଲିକ, ଡିଆଇବି ଡିଏସ୍‌ପି ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ, ହାବିଲଦାର ଓ କନଷ୍ଟେବଲ ସଂଘ ସଭାପତି ଗୋରାଚାନ୍ଦ ତ୍ରିପାଠୀ, ସଂପାଦକ ବ୍ରଜ ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ମାଣ୍ଡିଆପଲ୍ଲୀ ଛକ ଠାରେ ହାଇୱେ ପାଟ୍ରୋଲିଂର ଶୁଭାରମ୍ଭ କରା ଯାଇଥିଲା । ଏଥିଲାଗି ଗୋଟିଏ ପାଟ୍ରୋଲିଂ ଗାଡ଼ି ମିଳିଛି । ଏଥିରେ ଜଣେ ଅଫିସର ଓ ୪ଜଣ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି । ଗୋପାଳପୁର-ଗିରସୋଲା ମଧ୍ୟରେ ଜାତୀୟ ରାଜପଥରେ ଏହା ପାଟ୍ରୋଲିଂ କରିବ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଓ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଉପସ୍ଥିତ ହେଲା । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦେଇ ଜାତୀୟ ରାଜପଥ-୧୬ ଯାଇଛି । ଏହା ଖଲ୍ଲିକୋଟ ନାରାୟଣୀ ଠାରୁ ଆନ୍ଧ୍ର ସୀମାନ୍ତ ଗିରଶୋଲା ପର୍ଯ୍ୟନ୍ତ ଲମ୍ବିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe