ଚାକିରି ଛାଡିଲେ ଚାଷ କଲେ: ୪ ଏକର ଜମିରେ ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ

124

କନକ ବ୍ୟୁରୋ: ଯେଉଁ ବୟସରେ ଯୁବକମାନେ ପାଠପଢ଼ା ସାରି ଚାକିରି ପଛରେ ଦୈଡନ୍ତି ସେହି ବୟସରେ ଚାକିରି ଛାଡି ଚାଷ ପ୍ରତି ମନବଳାଇଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ କାଜିବାଗ ଗ୍ରାମର ଯୁବକ ରାଜେଶ ବିଶ୍ୱାଳ । ବର୍ତମାନର ଯୁବପିଢ଼ୀ ପାଇଁ ଚାଷ କରି ଉଦାହରଣ ସାଜିଛନ୍ତି ରାଜେଶ । ଚାରି ଏକର ଜମିରେ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଯୋଗାଇଛନ୍ତି ରାଜେଶ ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ କାଜିବାଗ ଗ୍ରାମର ସତେନ୍ଦ୍ର ବିଶ୍ୱାଳଙ୍କ ପୁଅ ରାଜେଶ ବିଶ୍ୱାଳ । ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇ ଚାକିରି ଲୋଭରେ ନରହି ନିଜ ଗ୍ରାମ କାଜିବାଗ ଅଂଚଳରେ ଏକ ଫାର୍ମ ହାଉସ କରି ନିଜେ ସ୍ୱାବଲମ୍ବୀ ହେବା ସହ ୫ରୁ ଅଧିକ ବ୍ୟକ୍ତିଙ୍କୁ ରୋଜଗାର ଦେଇଛନ୍ତି । ୪ ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା ଲଗାଇଛନ୍ତି ଯୁବଚାଷୀ ରାଜେଶ । ପରିବାରର ଆର୍ଥିକ ସମସ୍ୟା ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଥିଲେ ମଧ୍ୟ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ତାଙ୍କ ପାଠପଢ଼ା ରୋକି ପାରିନଥିଲା । ପାଠପଢା ପରେ ଏକ ମେଡିସିନ କମ୍ପାନୀରେ କାମ କରୁଥିବା ବେଳେ ଚାଷ ପ୍ରତି ତାଙ୍କ ଦୁର୍ବଳତା ଆସିଥିଲା । ପରେ ଚାଷ ପାଇଁ ଚାକିରି ଛାଡି ଧାରକରଜ କରି ୪ ଏକର ଜମିରେ ଛୋଟିଆ ଫାର୍ମ ହାଉସ କରି ଚାଷ ଆରମ୍ଭ କରିଥିଲେ ।

ଚାଷ ଜମିରେ ଅମୃତଭଣ୍ଡା, କାକୁଡି, ବାଇଗଣ ପରି ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛନ୍ତି । ବିଶେଷ କରି ତାଙ୍କ ଚାଷ ମଧ୍ୟରେ ଅମୃତଭଣ୍ଡା ଚାଷକୁ ବେଶ ଗୁରୁତ୍ୱ ଦିଆଯାଇଛି । ୩ ହଜାରରୁ ଉର୍ଦ୍ଧ ଅମୃତଭଣ୍ଡା ଗଛରେ ଫଳକୁ ଦେଖିଲେ ଯେ କେହି ବି ଆନନ୍ଦିତ ହୋଇପଡିବ । ଦୃଢ଼ ମନୋବଳ ଯୋଗୁ ରାଜେଶଙ୍କ ଚାଷର ଚାହିଦା ବେଶ ବୃଦ୍ଧି ପାଇଛି । ବର୍ତମାନ ଚାଷରୁ ମାସିକ ୫୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ରାଜେଶ । ଏହା ସହ ନିଜ ଫାର୍ମ ହାଉସରେ ସେହି ଅଂଚଳର ଅନ୍ୟ ବେରୋଜଗାର ଯୁବକଙ୍କୁ କାମରେ ଲଗାଇ ରୋଜଗାରକ୍ଷମ କରିପାରିଛନ୍ତି । ଯାହାକୁ ନେଇ କାର୍ଯ୍ୟ କରୁଥିବା ଯୁବକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ଆଗକୁ ରାଜେଶ ବାୟୋଫ୍ଲୋକ ପ୍ରଣାଳୀରେ ମାଛ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିଜର ଚାଷ ଜମିର ଅଂଚଳ ବଢ଼ାଇ ଚାଷକୁ ମଧ୍ୟ ବଢ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ତାଙ୍କର ଏହି ଉଦ୍ୟମୀ ଚିନ୍ତାଧାରା ପାଇଁ ଅଂଚଳବାସୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ଆଜିର ଯୁବକମାନେ ଉଚ୍ଚ ଶିକ୍ଷିତ ହୋଇ ଚାକିରି ପଛରେ ଧାଉଁଥିବା ବେଳେ ନିଜ ଉଦ୍ୟମରେ ବି ସଫଳତା ମିଳିପାରିବ ବୋଲି ରାଜେଶ କହିଛନ୍ତି ।
ଯୁବ ସଫଳ ଚାଷୀ ରାଜେଶଙ୍କୁ ସରକାରୀ ସହଯୋଗ ମିିଳିଲେ ଆଗକୁ ନୂତନ ପ୍ରଣାଳୀରେ ଚାଷ କରି ଯୁବକଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବେ ।