କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇଛନ୍ତି ରାୟଗଡ଼ା ଗୁଣୁପୁର ଅଞ୍ଚଳର ଯୁବ ଉଦ୍ୟୋଗୀ ଏ.ମଧୁସୂଦନ । ଏମ.ଟେକ୍ ପାସ କରିବା ପରେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ମଧୁସୁଦନ । ସେଠାରେ ମୋଟା ଅଙ୍କର ଦରମା ବି ପାଉଥିଲେ । ଏଥିରେ ତାଙ୍କର ମନ ମାନିନଥିଲା । ଚାକିରି ଛାଡ଼ି ଘରକୁ ଫେରିବା ପରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଦୀର୍ଘ ୬ ବର୍ଷ କାଳ ଆଇଟି ଅଧ୍ୟାପକ ଭାବେ କାମ କରୁଥିଲେ । କରୋନା ସମୟରେ ଶିକ୍ଷାନୁଷ୍ଠାନ ପ୍ରଭାବିତ ହେବାରୁ ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ନୂଆ କିଛି କରିବାର ଉପାୟ ଖୋଜୁ ଖୋଜୁ ଧୂପକାଠି ପ୍ରସ୍ତୁତି କାରଖାନ କରିବାକୁ ମନବଳାଇଲେ । ୮ ଲକ୍ଷ ଟଙ୍କା ବ୍ୟୟରେ ଧୂପକାଠି ମେସିନ୍ ବସାଇ ଆରମ୍ଭ କଲେ ଏକ କ୍ଷୁଦ୍ର ଉଦ୍ୟୋଗ । ବର୍ତମାନ ଏହି କ୍ଷୁଦ୍ର ଶିଳ୍ପରୁ ୧୫ ପ୍ରକାର ବିଭିନ୍ନ ପ୍ରଜାତିର ସୁଗନ୍ଧିତ ଧୂପକାଠି ଓ ଆଳତି କର୍ପୁର ପ୍ରସ୍ତୁତି ହେଉଛି ।
ଗୁଜରାଟରୁ ତାଲିମ ନେଇ ଏହି ସବୁ ସାମଗ୍ରୀର ପ୍ରସ୍ତୁତି କରୁଛନ୍ତି ଉଦ୍ୟୋଗୀ ମଧୁସୁଦନ । ସେ ନିଜେ ସମସ୍ତ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀ ତଦାରଖ କରିବା ସହ ଆବଶ୍ୟକୀୟ କଞ୍ଚାମାଲ ଚାଇନା, ଭୁବନେଶ୍ୱର, ବ୍ରହ୍ମପୁରରୁ ଆଣି ବ୍ୟବସାର କରୁଛନ୍ତି । ଏଥିରେ ସ୍ଥାନୀୟ ଅଂଚଳର ୧୦ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି । ଏବେ ମଧୂସୁଦନଙ୍କ କ୍ଷୁଦ୍ର ଶିଳ୍ପରୁ ଉତ୍ପାଦିତ ଦ୍ରବ୍ୟ ଗଜପତି, ରାୟଗଡ଼ା, କଳାହାଣ୍ଡି ଭଳି ସହରକୁ ଯୋଗାଣ ହେଉଛି ।
ହାତପାହାନ୍ତାରେ କାମ ପାଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବକ ଓ ଯୁବତୀ । ବାସ୍ତବିକ୍ ଉଦ୍ୟୋଗୀ ଯୁବକଙ୍କ ଆତ୍ମନିର୍ଭର ହେବାର ପ୍ରୟାସ ଅନ୍ୟମାନକଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।