ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ନେଇ ବକ୍ତବ୍ୟ ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । କହିଲେ, କ୍ଷୁର୍ଣ୍ଣ ହେବନି ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତା, ଦୀର୍ଘମିଆଦି ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ କୁଳପତି ।

615

କନକ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବ ପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହୋଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏପରି ସ୍ଥିତିରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ ୱେବିନାରରେ ଅଧ୍ୟାଦେଶର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ମନ୍ତ୍ରୀ ଅରୁଣ ସାହୁ କହିଲେ ନୂତନ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱାତନ୍ତ୍ରତା କ୍ଷୁର୍ଣ୍ଣ ହେବନାହିଁ । ଅପରପକ୍ଷେ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି ଏବଂ କୁଳପତିମାନଙ୍କର ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଦୀର୍ଘମିଆଦି ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବେ ।

ନୂତନ ଅଧ୍ୟାଦେଶରେ କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କର ଭୂମିକା ନାହିଁ । କୁଳପତିଙ୍କ ଦ୍ୱାରା ଗଠିତ କମିଟିର ସୁପାରିଶ ଅନୁଯାୟୀ କୁଳାଧିପତି ୩ ଜଣ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଥାଆନ୍ତି । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ ଆବଶ୍ୟକତା ନାହି କିମ୍ବା କୁଳାଧିପତି ରାଜ୍ୟ ସରକାରଙ୍କ ସହମତି ଲୋଡ଼ନ୍ତି ନାହିଁ ।

ଯେହେତୁ ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ୧୦ ଜଣ ସଦସ୍ୟ ଥାଆନ୍ତି, ସେ କ୍ଷେତ୍ରରେ ସିଣ୍ଡିକେଟ କୁଳପତି ଚୟନ କ୍ଷେତ୍ରରେ ଏକ ଆଗ୍ରହୀ ପକ୍ଷେ ଭାବେ ବିବେଚିତ ହୋଇଥାଏ । ଏପରି କ୍ଷେତ୍ରରେ ଔଚିତ୍ୱ ଏବଂ ସ୍ୱଚ୍ଛତା ଦୃଷ୍ଟିରୁ ସିଣ୍ଡିକେଟକୁ କୁଳପତି ଚୟନ ପ୍ରକ୍ରିୟା ଦୂରେଇ ରଖିବା ବାଂଛନୀୟ । ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ପଂଜାବ, ଆନ୍ଧ୍ର ପ୍ରଦେଶ ଓ ବିହାର ତୁଳନାରେ ଓଡ଼ିଶାର ରାଜ୍ୟ ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୂମିକା ନାହିଁ ।

ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟ ବ୍ୟବସ୍ଥା ଉଚ୍ଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି । ଏହାଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ । ପୂର୍ବପରି ସିଣ୍ଡିକେଟ ଅଧ୍ୟକ୍ଷ ରହିବେ । ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅଧ୍ୟକ୍ଷ ହେବେ ନାହିଁ । ସିଣ୍ଡିକେଟର ନିଷ୍ପତ୍ତି ବହୁମତରେ ନିଆଯାଏ । ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସଂଖ୍ୟାଧିକ ସଦସ୍ୟ ରହୁଥିବା ଦୃଷ୍ଟିରୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟର ପ୍ରଭାବ ଅକ୍ଷୁର୍ଣ୍ଣ ରହିବ ବୋଲି ମନ୍ତ୍ରୀ ଅରୁଣ ସାହୁ ମତବ୍ୟକ୍ତ କରିଛନ୍ତି ।