କରୋନା ଲଢୁଛି କରୋନା ସହ । କରୋନାରୁ ସୁସ୍ଥ ହେବା ପରେ ଶରୀରରେ ବୃଦ୍ଧି ପାଉଛି ୧୦ ଗୁଣ ରୋଗ ପ୍ରତିରୋଧ ଶକ୍ତି, ଆଶା ବଢ଼ାଇଲା ଆରଏମଆରସିର ନୂଆ ଅଧ୍ୟୟନ । 

544

କନକ ବ୍ୟୁରୋ : ଯଦି କାହାକୁ କରୋନା ହୋଇସାରିଛି, ତେବେ ସେ ଏହି ଖବର ଦେଖିଲେ ନିଶ୍ଚୟ ଖୁସି ହେବେ । ଓଡିଶାର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର- ଆରଏମଆରସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗବେଷଣା ଜାରି ରଖିଛି । ଏବଂ ଯେଉଁ ତଥ୍ୟ ଏହି ଗବେଷଣାରୁ ସାମ୍ନାକୁ ଆସୁଛି, ତାହା ଏକ ଗୁରୁତ୍ୱପୂର୍ଣ୍ଣ କଥା । ଯାହାକୁ ଥରେ କରୋନା ହୋଇଛି, ତା ଦେହରେ ଆଂଟିବଡି ୧୦ ଗୁଣା ବଢିଯାଇଛି । ଅର୍ଥାତ୍ ଯଦି ବି ପୁଣି ଥରେ କରୋନା ହୁଏ, ତେବେ ସେତେ ମାରାତ୍ମକ ହେବ ନାହିଁ ।

ଥରେ କରୋନାରେ ସଂକ୍ରମିତ ହେଲେ, ରୋଗୀଙ୍କ ଶରୀରରେ ତିଆରି ହେଉଥିବା ଆଂଟିବଡି ବା ପ୍ରତିରୋଧ ଶକ୍ତି କରୋନା ବିରୋଧରେ ବୃଦ୍ଧି ପାଉଛି । ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର ଦ୍ୱାରା ପରିଚାଳିତ ଭୁବନେଶ୍ୱର ଆରଏମଆରସି ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡିଛି । କିଛି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିବା ଦାବି କରାଯାଇଛି ।

ଆରଏମଆରସି ଅଧ୍ୟୟନରୁ ଆସିଥିବା ତଥ୍ୟ ଅନୁସାରେ

– କରୋନା ଆକ୍ରାନ୍ତଙ୍କ ଦେହରେ ଦୁଇ ପ୍ରକାର ଆଂଟିବଡି ବା ପ୍ରତିରୋଧ ଶକ୍ତି ସୃଷ୍ଟି ହୁଏ

– ପ୍ରଥମତଃ ଭୂତାଣୁର ନ୍ୟୁକ୍ଲୋକାପସିଡ୍ ପ୍ରୋଟିନ ବିରୋଧରେ ଆଂଟିବଡି ପ୍ରସ୍ତୁତ ହୁଏ

– ଦ୍ୱିତୀୟରେ ଭୂତାଣୁର ଷ୍ଟ୍ରକଚରାଲ ସ୍ପାଇକ୍ ପ୍ରୋଟିନ ବିରୋଧରେ ପ୍ରତିରୋଧ ଶକ୍ତି ତିଆରି ହୁଏ

– ଅଧ୍ୟୟନରୁ ଦେଖାଯାଇଛି ଯେ, ସ୍ପାଇକ ପ୍ରୋଟିନ ବିରୋଧରେ ଆଂଟିବଡି ହ୍ରାସ ପାଉନାହିଁ

– ଯାହା ପୁନଃ ସଂକ୍ରମିତ ହେବାରେ ମଣିଷ ଶରୀରର କୋଷିକାକୁ ସୁରକ୍ଷା ଯୋଗାଇ ହେଉଛି

– କରୋନାରୁ ସୁସ୍ଥ ହୋଇଥିବା ୭୬ ଜଣ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ନେଇ ହୋଇଥିଲା ଏହି ଅଧ୍ୟୟନ

– କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ୧୮ରୁ ୬୩ ବର୍ଷର ବ୍ୟକ୍ତିଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା

–  ପ୍ରାୟ ୧୬ ସପ୍ତାହ ଧରି ଏମାନଙ୍କଠାରୁ ସିରମ ସାମ୍ପୁଲ ସଂଗ୍ରହ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା

– ସେପ୍ଟେମ୍ବର ୨୦୨୦ରୁ ଫେବ୍ରୁଆରୀ ୨୦୨୧ ଭିତରେ ଏମାନଙ୍କର ଆଂଟିବଡି ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବା ଦେଖା ଯାଇଥିଲା ।