ଆସନ୍ତା ୧୩ ତାରିଖରୁ ଖୋଲିବ ହାଇକୋର୍ଟ । ସ୍ୱାଭାବିକ ଭାବେ ଚାଲିବ କୋର୍ଟକାର୍ଯ୍ୟ ।

82

କନକ ବ୍ୟୁରୋ : ମହାବାତ୍ୟା ଫନି ପ୍ରଭାବରେ କଟକ ସହର ସଂପୂର୍ଣ୍ଣ ଭା‌ବେ ପ୍ରଭାବିତ ହୋଇଥିବା ବେଳେ ମେ’ ୧୦ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ ।  ଫନି ପ୍ରଭାବିତ କଟକ ସହରରେ ପରିସ୍ଥିତି ଏ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ନଥିବା ବେଳେ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ଦେଖା ଦେଇଥିବା ପରିସ୍ଥିତି ସଂପର୍କରେ ହାଇକୋର୍ଟ ବାର୍ ଆସୋସିଏସନ୍ ବୈଠକରେ ଆଲୋଚନା କରାଯାଇ ମେ’ ୯ ଓ ୧୦ ତାରିଖ ଦୁଇ ଦିନ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିଲା । ଆଜି ଫନି ପ୍ରଭାବରେ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ।

ପୂର୍ବରୁ ଫନିକୁ ଦୃଷ୍ଟିରେ ରଖି ପ୍ରଥମେ ମେ’୨ ଓ ୩ ତାରିଖକୁ ହାଇକୋର୍ଟ ଛୁଟି ଘୋଷଣା କରିଥିଲେ । ଏହା ପରେ ଫନି ପ୍ରଭାବରେ କଟକ ସହର ସହିତ ବିଭିନ୍ନ ଜିଲ୍ଲା ଧ୍ୱସ୍ତବିଧ୍ୱସ୍ତ ହୋଇ ପଡିଥିଲା । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପୁଣି ମେ’ ୮ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଗତ ସୋମବାର ଦିନ ଘୋଷଣା କରାଯାଇଥିଲା । ଫନି ଦ୍ୱାରା ହାଇକୋର୍ଟ ପରିସର ସହିତ ଜିଲ୍ଲା ଅଦାଲତ ଓ ହାଇକୋର୍ଟ ବାର୍ ଆସୋସିଏସନ୍ ପରିସର ମଧ୍ୟ ପ୍ରଭାବିତ ହୋଇଥିଲା । ଏଥି ସହିତ କଟକ ସହର ଓ ଆଖ ପାଖ ଜିଲ୍ଲାରେ ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲା । ଆଇନଜୀବୀ, ଜନସାଧାରଣ ଓ କର୍ମଚାରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଥିଲା । ଆସନ୍ତା ସୋମବାର ଠାରୁ ହାଇ‌କୋର୍ଟ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବ ବୋଲି ସୂଚନା ମିଳିଛି ।