କନକ ବ୍ୟୁରୋ: ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ । ଆସନ୍ତା ୨୪ ତାରିଖ ପରବର୍ତି ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ଚୟନ ଓ ନିଯୁକ୍ତିରେ ଅନ୍ତରୀଣ ରୋକ ଲଗାଇଲେ କୋର୍ଟ । ଏହା ପୂର୍ବରୁ ଚୂଡାନ୍ତ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ୨୦ ଏବଂ ୨୧ ତାରିଖରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେବ । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଚିନ୍ତାମଣି ଭୂୟାଁ ଓ ଅନ୍ୟ ଅଶାୟୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଅନ୍ୟପଟେ ଜାରି ରହିଛି ଚାକିରି ଆଶାୟୀଙ୍କ ଆନ୍ଦୋଳନ । କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି । କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରୀ ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ୨୦ହଜାର କନିଷ୍ଠ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ମାତ୍ର ୧୮ ହଜାର ୭୮୮ଜଣ ପ୍ରାର୍ଥୀଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି । ଏଥିସହ କେତେକ ନକଲି ନାଁରେ ଆଡମିଟ୍ କାର୍ଡ ଆସିଥିବା ଜଣାପଡିବା ପରେ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ସନ୍ଦେହ କରାଯାଉଛି । ସେପଟେ ଏହାକୁ ନେଇ ସଫେଇ ରଖିଛି ଓସେପା । କର୍ତ୍ତୃପକ୍ଷ କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଆଡମିଟ୍ କାର୍ଡ ।