କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶିଷ ମିଶ୍ରାଙ୍କୁ ଜାମିନ ଦେଇଥିବା ଜଣାପଡିଛି । କହିରଖୁ କି ଗତବର୍ଷ ଅକ୍ଟୋବର ୩ ତାରିଖରେ ଲକ୍ଷ୍ମୀପୁର ତିକୋନିଆ ଠାରେ ଘଟିଥିବା ହିଂସାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଅଭିଯୋଗ ଥିଲା କି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ମାଡିଯିବାରୁ ୪ ଜଣ କୃଷକ ମୃତ୍ୟୁବରଣ କରିଥିଲେ ।

Advertisment

ଏଭଳି ଘଟଣାକୁ ନେଇ ସେତେବେଳେ ପୁରା ଦେଶରେ ରାଜନୀତି ସରଗରମ ହେବାରେ ଲାଗିଥିଲା । ବିରୋଧୀ କୃଷକ ପରିବାରଙ୍କ ଅଭିଯୋଗ ପରେ ପୋଲିସ ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ବିରୋଧୀ ଦଳ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଚାରିଆଡେ ପ୍ରଦର୍ଶନ କରାଯାଇଥିଲା । ହେଲେ ମୁଳରୁ ଅଜୟ ମିଶ୍ରା ଏହି ମାମଲାରେ ତାଙ୍କ ପୁଅର ସଂପୃକ୍ତି ନଥିବା ନେଇ ଦାବି କରୁଥିବା ବେଳେ ଘଟଣା ସ୍ଥଳର ଭିଡିଓ ଆଧାରରେ ଆଶିଷ ମିଶ୍ରାଙ୍କୁ ଗିରଫ କରିଥିଲା ଲକ୍ଷ୍ମୀପୁର ପୋଲିସ ।

ହେଲେ ଆଜି ୟୁପିର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିବା ନେଇ ନ୍ୟାୟାଳୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳ । ସୂଚନା ଥାଉକି ଲକ୍ଷ୍ମୀପୁର ମାମଲାରେ ଉତ୍ତର ପ୍ରଦେଶ ଏସଆଇଟି କିଛିଦିନ ତଳେ ଏକ ୫ହଜାର ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଥିଲା । ଏହି ଚାର୍ଜସିଟରେ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଥିବା ବେଳେ ତାଙ୍କୁ ଏଭଳି ଭାବେ ଜାମିନ ମିଳିବାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତ ମୃତ କୃଷକଙ୍କ ପରିବାର ।