ଓଡିଶା ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ ସିଂହ । ସୁପ୍ରିମକୋର୍ଟ କଲେଜିଏମ ସୁପାରିଶ ପରେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର ।

76

କନକ ବ୍ୟୁରୋ: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ । ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିସ ପରେ ଓଡିଶା ହାଇକୋର୍ଟରେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ ନିଯୁକ୍ତି ମିଳିଛି ।

ମୋଟ ୬ ଜଣ ବିଚାରପତିଙ୍କ ନୂଆ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନିନ୍ଦ୍ର ମୋହନ ଶ୍ରୀବାସ୍ତବଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ କୁମାରୀ ରିତୁ ବାହାରିଙ୍କୁ ଉତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ମିଳିଛି । ସେହିପରି ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଦାୟିତ୍ୱ ତୁଳାଉଥିବା ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ।

ରାଜସ୍ଥାନ ହାଇକୋର୍ଟରେ ବିଚାପତି ଥିବା ଜଷ୍ଟିସ ଅରୁଣ ଭଂସାଲିଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ମାଡ୍ରାସ ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଉଥିବା ଜଷ୍ଟିସ ଏସ ବୈଦ୍ୟନାଥଙ୍କୁ କଲେଜିଏମ ସୁପାରିଶ ପରେ କେନ୍ଦ୍ର ସରକାର ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ।