ନବରଙ୍ଗପୁରରେ ହଠାତ୍ ୪୪୦ ଭୋଲଟେଜ ବିଜୁଳି ଆସିବାରୁ ପୋଡିଗଲା ଶହ ଶହ ଲୋକଙ୍କ ବିଦ୍ୟୁତ ସରଞ୍ଜାମ । ୩୦ଲକ୍ଷ ଟଙ୍କାର ସଂପତି ନଷ୍ଟ

3,457

କନକ ବ୍ୟୁରୋ : ସାରା ରାଜ୍ୟରେ ବିଦ୍ୟୁତ ବିଭ୍ରାଟକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ନବରଙ୍ଗପୁରରେ ଲାଗିଛି ହାଇଭୋଲଟେଜ ଝଟକା । ହାଇଭୋଲଟେଜରେ ପୋଡି ଯାଇଛି ପ୍ରାୟ ୩୦ ଲକ୍ଷରୁ ଅଧିକ ମୂଲ୍ୟର ବୈଦ୍ୟୁତିକ ସରଞ୍ଜାମ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅଞ୍ଚଳଗୁମ୍ମାରୁ ଆସିଛି ଏଭଳି ଅଭିଯୋଗ । ଗତକାଲି ସନ୍ଧ୍ୟାରେ ଗରମ ଗୁଳୁଗୁଳି ଥିବା ଯୋଗୁଁ ସମସ୍ତଙ୍କ ଘରେ ପ୍ରାୟତଃ ବୈଦ୍ୟୁତିକ ସରଞ୍ଜାମ ବଲବ ଟିଭି, କୁଲର, ଫ୍ରିଜ, ଫ୍ୟାନ ଆଦି ଜଳାଇ ଥିଲେ ।

ତେବେ କେହି କିଛି ବୁଝିବା ପୂର୍ବରୁ ହଠାତ ବିଜୁଳିର ହାଇ ପାୱାର ୪୪୦ ଭୋଲଟେଜ ପ୍ରେରିତ ହୋଇଥିଲା । ହଠାତ ହାଇଭୋଲଟେଜ ଚାର୍ଜ ଆସିଯିବାରୁ ବଲବ, ଟ୍ୟୁବ ଲାଇଟ, ଫ୍ରିଜ, କୁଲର, ପଙ୍ଖା, ଇନଭଟର, କମ୍ପ୍ୟୁଟର, ଭଳି ଗୁରୁତ୍ୱପୂର୍ଣ୍ଣ ବୈଦ୍ୟୁତିକ ଉପକରଣ ପୋଡି ଯାଇଥିଲା । ଗ୍ରାମର ସମସ୍ତଙ୍କ ଘରେ ଏଭଳି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି । ଗାଁରେ ପ୍ରାୟ ଛଅଶହ ବିଦ୍ୟୁତ ଗ୍ରାହକଙ୍କ ଏଭଳି ସମସ୍ୟା ଉପୁଜିଥିଲା । ପୋଡି ଯାଇଥିବା ବୈଦ୍ୟୁତିକ ସରଞ୍ଜାମ ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି । ଟାଟା ପାୱାର ବିନା ଟ୍ରେନିଂରେ ହେଲପର ପିଲାଙ୍କୁ ନିଯୁକ୍ତି ପ୍ରଦାନ କରି ମେନେଜମେଣ୍ଟ୍ ଦାୟିତ୍ୱ ତୁଲାଉଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ନଷ୍ଟ ପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।